mahavir

ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ନାଗରିକ କମିଟିର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସର୍କିଟ ହାଉସ୍‌ ଠାରେ ସଭାପତି ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ନାଗରିକ କମିଟିର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ଦାବୀ ମଧ୍ୟରେ କୃଷିଭିତ୍ତିକ ଶିଳ୍ପ ଯଥା ଟେକ୍‌ଷ୍ଟାଇଲ, ଚିନି କଳ ଆଦି ସ୍ଥାପନ, ଆୟୁର୍ବେଦ କଲେଜକୁ ଆୟୁଷ ବିଶ୍ୱବିଦ୍ୟାଳୟରେ ପରିଣତ, ହୋମିଓପାଥି କଲେଜ ଖୋଲିବା, ରାଜେନ୍ଦ୍ର ୟୁନିଭରସିଟି, ମହିଳା କଲେଜ ତଥା ସମସ୍ତ ସ୍କୁଲ କଲେଜ ଆଦିରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ, ଭୀମ ଭୋଇ ମେଡିକାଲ କଲେଜର ସବୁ ବିଭାଗର ପି.ଜି. କ୍ଲାସ ଖୋଲି ପ୍ରଫେସର ନିଯୁକ୍ତି କରିବା ତଥା ଗୋଟିଏ ହେଲେ ଡାକ୍ତର ନଥିବା ହୃଦରୋଗ ଓ ମଧୁମେହ ରୋଗ ପାଇଁ ଶୀଘ୍ର ଡାକ୍ତ ଯୋଗାଇଦେବା, ଲୋୟର ସୁକତେଲ ପ୍ରକଳ୍ପର ଜଳ ଚଳିତ ବର୍ଷରୁ ଚାଷ ଜମି ମାନଙ୍କରେ ଯୋଗାଇଦେବା ଆଦି ଦାବୀ କରାଯାଇଛି । ପୁନଶ୍ଚ ଗମନାଗମନ କ୍ଷେତ୍ରରେ ବଲାଙ୍ଗିର ବହୁତ ପଛୁଆ । ତେଣୁ ବଲାଙ୍ଗିରରୁ ଭୁବନେଶ୍ୱରକୁ ସକାଳୁଆ ଟ୍ରେନ ଚଳାଚଳ ଏବଂ ବଲାଙ୍ଗିରରୁ ସିଧା ସଳଖ ପ୍ରୟାଗରାଜ ଓ ଦିଲ୍ଲୀକୁ ଟ୍ରେନର ସୁବିଧା ସହ ଖୋର୍ଦ୍ଧା ରେଳପଥକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ତୁଷରା ଏୟାରଷ୍ଟ୍ରିପର ଉନ୍ନତିକରଣ ସହ ରାଜଧାନୀକୁ ଉଡାନ ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇଥିଲା । ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ବଲାଙ୍ଗିର ରେଳ ଷ୍ଟେସନ୍‌ରେ ପିଟ୍‌ ଲାଇନ୍‌ର ଆବଶ୍ୟକତା ଉପରେ ମତ ଦେଇଥିଲେ ଏବଂ ଏହା ହେଲେ ବଲାଙ୍ଗିରରୁ ନୂତନ ଟ୍ରେନ ଚଳାଚଳରେ ବହୁତ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଦାବୀପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟ କ୍ରମେ ବଲାଙ୍ଗିରର ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.