pakka

ମଦନପୁର-ରାମପୁରକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବି ପ୍ରସଙ୍ଗ : ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବ୍ୟବସାୟୀ ସଂଘ ତରଫରୁ ଗତକାଲି ମ.ରାମପୁର ବନ୍ଦ୍ କରାଯାଇ ଥିବାବେଳେ ଆଜି ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଆଲୋଚନା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ସଂଗଠନ ତରଫରୁ ପ୍ରାୟ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମାଳ ମାଳ ଯୋଜନା ସବୁ ଘୋଷଣା କରୁଛନ୍ତି । ସରକାର ତିନି ଦିନ ତଳେ ୩୫ ଗୋଟି ବିଜ୍ଞାପିତ ପରିଷଦ ଘୋଷଣା କରିଛନ୍ତି । କିନ୍ତୁ ଏଥିରୁ ମ.ରାମପୁର ବାଦ୍ ପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଥିଲା । ସେତେବେଳେ ସେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ଦାବିକୁ ଆଜି ୩୦ ବର୍ଷ ହୋଇଗଲାଣି । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଦାବି ଏବଂ ଆନ୍ଦୋଳନ ହୋଇ ଆସୁଛି । ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି । ଏବେ ଅଞ୍ଚଳବାସୀ ଖୁବ୍ ଆଶା ରଖିଥିଲେ ସରକାର ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ କି ବିଜ୍ଞାପିତ ପରିଷଦ ଘୋଷଣା କରିବେ ବୋଲି । କିନ୍ତୁ ଘୋଷିତ ତାଲିକାରେ ମ.ରାମପୁର ବାଦ୍ ପଡ଼ିବାରୁ ସାଧାରଣ ଜନତାଙ୍କୁ ନିରାଶ କରିଛି । ବ୍ୟବସାୟିକ ସଂଘର ସମ୍ପାଦକ ପ୍ରଶାନ୍ତ ସାମନ୍ତରାଙ୍କ ନେତୃତ୍ୱରେ ଆଜି ବ୍ୟବସାୟିକ ସଂଘର ବରିଷ୍ଠ ସଦସ୍ୟ ପପୁ ଅଗ୍ରୱାଲ, ବରିଷ୍ଠ ନାଗରିକ ପଦ୍ମ ଲୋଚନ ମିଶ୍ର, ଚମରା ବଗର୍ତ୍ତୀ, ଗଙ୍ଗାଧର ପ୍ରହରାଜ, ବିଭୂତି ଭୂଷଣ ମହାଖୁଡ଼, ପ୍ରକାଶ ଚନ୍ଦ୍ର ମାଝୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଦାବିପତ୍ର ଗ୍ରହଣ କରି ଆଲୋଚନା ପ୍ରସଙ୍ଗରେ ଜିଲ୍ଲାପାଳ ଏଥି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

20 − eight =