jayashree

ଅସ୍ୱାସ୍ଥ୍ୟକର ପରିବେଶରେ ଗୁଳିମରା ସାହି ପୋଖରୀ : ତୁରନ୍ତ ଦୃଷ୍ଟି ଦେବାକୁ ଦାବି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସାଧାରଣ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନ କେତେ ସଚେତନ, ତାହାର ଏକ ନଗ୍ନ ଉଦାହରଣ ପାଲଟିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଳିମରା ସାହିରେ ଥିବା ପୋଖରୀ । ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଓ ସଫେଇ ଅଭାବରୁ ଏହି ପୋଖରୀ ଏବେ ଏକପ୍ରକାର ଅବହେଳିତ ଜଳାଶୟରେ ପରିଣତ ହୋଇଛି । ପୋଖରୀ ସାରା ଅନାବନା ଗଛଲତା ଓ ଜଳଦଳରେ ଭର୍ତ୍ତି ହୋଇ ରହିଥିବାବେଳେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି । ବାଲିଗୁଡ଼ା ଜେଲ୍ ପଛପାଖରେ ଥିବା ଏହି ସାହିରୁ ଜିମାର ଗାଁକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ରହିଛି ଉକ୍ତ ପୋଖରୀ । ଏହାର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ, ପାଣି ଓ ଜଳଦଳ ମଧ୍ୟରେ ଫରକ ଜାଣିବା କଷ୍ଟକର ହୋଇପଡ଼ିଛି । ଏହା କେବଳ ପରିବେଶକୁ ଦୂଷିତ କରୁନାହିଁ, ବରଂ ମଶା ମାଛିଙ୍କ ବଂଶବୃଦ୍ଧି ସହ ବିଭିନ୍ନ ଚର୍ମରୋଗ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ ସୃଷ୍ଟି କରୁଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, କିଛିଦିନ ପୂର୍ବରୁ ଏହି ସାହିର ଜଣେ ଯୁବକ ପୋଖରୀର ଦଳ ମଧ୍ୟରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏଭଳି ଦୁଃଖଦ ଘଟଣା ପରେ ମଧ୍ୟ ପୋଖରୀର ସଫେଇ ଓ ସୁରକ୍ଷା ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଆଗକୁ ଆଉ କୌଣସି ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଏ ସମ୍ପର୍କରେ ବାଲିଗୁଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କୁ ପଚାରିବାରୁ, ଘଟଣାଟି ତାଙ୍କ ଦୃଷ୍ଟିକୁ ଆସିଥିବା ସ୍ୱୀକାର କରିବା ସହ ପରିସ୍ଥିତି ଅନୁଧ୍ୟାନ କରି କର୍ମଚାରୀ ପଠାଇ ପୋଖରୀ ସଫା କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତେବେ କେବଳ ଆଶ୍ୱାସନା ନୁହେଁ, ତୁରନ୍ତ ପୋଖରୀରୁ ଜଳଦଳ ଓ ଅନାବନା ଗଛଲତା ସଫା କରିବା, ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କରିବା ସହ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଜଣେ ଯୁବକଙ୍କ ମୃତ୍ୟୁ ପରେ ମଧ୍ୟ ଯଦି ପ୍ରଶାସନର ଚେତା ପଶୁନାହିଁ, ତେବେ ଆଉ କେଉଁ ଅଘଟଣକୁ ଅପେକ୍ଷା କରିଛି ସ୍ଥାନୀୟ ପ୍ରଶାସନ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.