jayashree

ବଲାଙ୍ଗିରରେ ପୁଣି ତେଜିଲା ହାଇକୋର୍ଟ ବ୍ୟାଞ୍ଚ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ଜୋରଦାର ହୋଇଛି ହାଇକୋର୍ଟ ବ୍ୟାଞ୍ଚ ସ୍ଥାପନ ଦାବି । ପାଟଣା ହାଇକୋର୍ଟର ୮୬ତମ ପୂର୍ତ୍ତି ଅବସରରେ ବଲାଙ୍ଗିର ସହରରେ ଆୟୋଜିତ ହୋଇଛି ହାଇକୋର୍ଟ ଜ୍ୟୋତି ଯାତ୍ରା । ଏହି ଯାତ୍ରାରେ ବହୁ ସଂଖ୍ୟକ ଆଇନଜୀବୀଙ୍କ ସହ ସାମିଲ ହୋଇଥିଲେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର । ବଲାଙ୍ଗିରରେ ହାଇକୋର୍ଟ ବ୍ୟାଞ୍ଚ ସ୍ଥାପନ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ଏହି ଦାବିକୁ ନେଇ ଆଜି ପୁଣି ଆଇନଜୀବୀଙ୍କ ପକ୍ଷରୁ ସ୍ୱର ତୀବ୍ର ହୋଇଛି । ହାଇକୋର୍ଟ ଜ୍ୟୋତି ଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ବଲାଙ୍ଗିରରେ ହାଇକୋର୍ଟ ବ୍ୟାଞ୍ଚ ସ୍ଥାପନ ଦାବି ପୁଣିଥରେ ଦୃଢ଼ତାର ସହ ରଖାଯାଇଛି । ଆଇନଜୀବୀମାନଙ୍କ କହିବା ଅନୁସାରେ, ପାଟଣା ଷ୍ଟେଟ୍ ସମୟରୁ ବଲାଙ୍ଗିରର ନ୍ୟାୟିକ ବ୍ୟବସ୍ଥାରେ ଏକ ବିଶେଷ ଗୁରୁତ୍ୱ ରହିଆସିଛି । ସ୍ୱାଧୀନତା ପରେ ହାଇକୋର୍ଟ ବ୍ୟବସ୍ଥା କଟକକୁ ସ୍ଥାନାନ୍ତରିତ ହେବା ପରେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ନ୍ୟାୟିକ ସେବା ପାଇଁ ଦୂର ଯାତ୍ରା କରିବାକୁ ପଡ଼ୁଛି । ବଲାଙ୍ଗିରରେ ହାଇକୋର୍ଟ ବ୍ୟାଞ୍ଚ ସ୍ଥାପନ ହେଲେ ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାର ଲୋକେ ସିଧାସଳଖ ଉପକୃତ ହେବେ ବୋଲି ଆଇନଜୀବୀମାନେ ମତ ପ୍ରକାଶ କରିଛନ୍ତି । ନ୍ୟାୟ ପାଇବା ପାଇଁ ଲୋକଙ୍କ ସମୟ, ଅର୍ଥ ଓ ଯାତାୟାତର ଅସୁବିଧା ମଧ୍ୟ କମିବ ବୋଲି ସେମାନେ କହିଛନ୍ତି । ବଲାଙ୍ଗିର ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସମେତ ବହୁ ଆଇନଜୀବୀ ଏହି ଦାବିକୁ ଶୀଘ୍ର ପୂରଣ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ହାଇକୋର୍ଟ ଜ୍ୟୋତି ଯାତ୍ରା ମାଧ୍ୟମରେ ବଲାଙ୍ଗିରର ଦୀର୍ଘଦିନର ଦାବି ପୁଣିଥରେ ଚର୍ଚ୍ଚାକୁ ଆସିଥିବା ବେଳେ, ଏବେ ସରକାର ଏହି ଦାବି ଉପରେ କି ନିଷ୍ପତ୍ତି ନେଉଛନ୍ତି, ତାହାକୁ ଅପେକ୍ଷା କରିଛନ୍ତି ଆଇନଜୀବୀ ଓ ପଶ୍ଚିମ ଓଡ଼ିଶାବାସୀ ।

Leave A Reply

Your email address will not be published.