jayashree

ଉମରକୋଟ ଆଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି କଲେ ପରିବାର

ଉମରକୋଟ, (କେପିଏନ୍‌ଏସ୍‌) : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଭାମିନୀ ଗ୍ରାମ ପଞ୍ଚାୟତର ବାଟିବେଡ଼ା ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଛାତ୍ରୀଙ୍କ ନାମ ଜବା ଶାନ୍ତ (୧୪) । ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ଏବଂ ତାଙ୍କ ଘର ଉମରକୋଟ ବ୍ଲକର ସୁନାବେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଲଦଲି ଗାଁରେ । ପ୍ରାଥମିକ ସୂଚନା ଅନୁସାରେ, ଛାତ୍ରୀ ଜଣେ ରାତିରେ ହଷ୍ଟେଲରୁ ବାହାରି ସ୍କୁଲଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଶୁଖିଲା ଗଛ ନିକଟରେ ମୃତ ଅବସ୍ଥାରେ ମିଳିଥିଲେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ସୂଚନା ଦେଇଥିଲେ । ଦଲଦଲି ଗାଁରେ ମୋବାଇଲ ନେଟୱାର୍କ ସୁବିଧା ନଥିବାରୁ କିଛି ଶିକ୍ଷକ ରାତିରେ ସିଧାସଳଖ ଗାଁକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ସଦସ୍ୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଛାତ୍ରୀଙ୍କ ପିତା ରାମ ଶାନ୍ତ ଉମରକୋଟ ଥାନାରେ ଏତଲା ଦେଇ ଘଟଣାର ନିରପେକ୍ଷ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଛାତ୍ରୀ ଜୁନ୍ ୨୫ ତାରିଖରେ ଘରୁ ଆଶ୍ରମ ବିଦ୍ୟାଳୟକୁ ଫେରିଥିଲେ ।

Leave A Reply

Your email address will not be published.