pakka

ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣଦେଖା : ବର୍ଷ ବର୍ଷ ହେଲା ବଲାଙ୍ଗିରରେ କାମ କରୁଛନ୍ତି ଦେଓଗାଁ ସିଏଚସିର ୩ଜଣ କର୍ମଚାରୀ, ପୂର୍ବ ସ୍ଥାନକୁ ଫେରାଇବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚାହିଦା ବୃଦ୍ଧି ପାଉଥିବା ବେଳେ ଦେଓଗାଁ ସିଏଚସିରୁ ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଦେଓଗାଁ ସିଏଚସିରୁ ଦରମା ଦିଆଯାଉଛି । ଏହା ଫଳରେ ଦେଓଗାଁ ସିଏଚସି ପରିଚାଳନାରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ନିଦାନ (ନିଶୁକ୍ଳ ରୋଗ ନିରୂପଣ ସେବା) ଯୋଜନାରେ ୪୦ପ୍ରକାର ରୋଗର ପରୀକ୍ଷା ହେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ କର୍ମଚାରୀ ଅଭାବରୁ ହୋଇପାରୁ ନାହିଁ । ପାଇଥିବା ତଥ୍ୟ ଅନୁସାରେ ଦେଓଗାଁ ସିଏଚସିରେ ଜଣେ ଟିବି ଅନ୍ୟ ଜଣେ ମ୍ୟାଲେରିଆ ୱିଙ୍ଗରେ ମୋଟ ଦୁଇଜଣ ଟେକନିସିଏସ ନିଯୁକ୍ତି ହୋଇଛନ୍ତି । ହେଲେ ସରକାରୀ ପତ୍ର ଅନୁସାରେ ସବୁ ଟେକନିସିଏନ ସମାନ କାମ କରିବେ ବୋଲି ତାଲିମ ମଧ୍ୟ ପାଇଛନ୍ତି । ଡେପୁଟେସନରେ ଯାଇଥିବା ଟେକନିସିଏନ ନୟନ ମେହେର ମ୍ୟାଲେରିଆ ୱିଙ୍ଗରେ ନିଯୁକ୍ତି ହୋଇଥିଲେ । ବର୍ତ୍ତମାନ ଅଭିଯୋଗ ହେଉଛି ଯେ, ପ୍ରାୟ ୩ ବର୍ଷ ହେଲା ଟେକନିସିଏନ ନୟନ ମେହେରଙ୍କୁ ଭୀମ ଭୋଇ ମେଡିକାଲ କଳେଜ ହସପିଟାଲକୁ ଡେପୁଟେସନରେ ପଠାଯାଇଛି । ଦରମା ଦେଓଗାଁ ସିଏଚସିରେ ପାଉଥିବା ବେଳେ କାମ ବଲାଙ୍ଗିରରେ କରୁଛନ୍ତି । ସେହିପରି ଦେଓଗାଁ ସିଏଚସି ଅଧିନରେ ଥିବା ଅର୍ଜୁନପୁର ସବ ସେଣ୍ଟରର ସ୍ୱାସ୍ଥ୍ୟକର୍ମୀ ବିଶ୍ୱରଞ୍ଜନ ଦଲାଇଙ୍କୁ ପ୍ରାୟ ୫ବର୍ଷ ହେଲା ବଲାଙ୍ଗିର ଡ୍ରଗସ ଡିଷ୍ଟ୍ରିବ୍ୟୁସନ ସେଣ୍ଟରକୁ ଡେପୁଟେସନରେ ନିଆଯାଇଥିବା ବେଳେ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏଏନଏମ ସୌଦାମିନୀ ମହାପତ୍ରଙ୍କୁ ବଲାଙ୍ଗିର ଆଇସିୟୁ ହସପିଟାଲକୁ ଡେପୁଟେସନରେ ନିଆଯାଇଛି । ନିୟୁକ୍ତି ଦିଆଯାଇଥିବା ସ୍ତାନରେ କାମ ନ କରି ଅନ୍ୟ ସ୍ଥାନରେ ନିଯୁକ୍ତି କରିବା ପଛରେ କାହାର ହାତ । କିଛି ରାଜନେତାଙ୍କ ଆର୍ଶିବାଦରେ ଗ୍ରାମାଞ୍ଚଳରେ କାମ କରିବାକୁ ପସନ୍ଦ କରୁ ନ ଥିବାରୁ ବଲାଙ୍ଗିରରେ କାମ କରୁଛନ୍ତି ବୋଲି ଲୋକମାନେ ଆଲୋଚନା କରୁଥିବା ବେଳେ ଦେଓଗାଁ ଅଞ୍ଚଳରେ କର୍ମଚାରୀ ଅଭାବ ଯୋଗୁଁ ଠିକ ଭାବେ କାମ ହୋଇପାରୁ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଉଛି । ତେଣୁ ତୁରନ୍ତ ଡେପୁଟେସନରେ ଯାଇଥିବା କର୍ମଚାରୀଙ୍କୁ ତୁରନ୍ତ ଫେରାଇବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

16 + six =