ସଇଁନ୍ତଲା ବ୍ଲକ୍‌ କ୍ରପ୍‌ କଟିଂ ରିପୋର୍ଟରେ ଚଞ୍ଚକତା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : କ୍ରପ୍‌ କଟିଂ ରିପୋର୍ଟରେ ଚଞ୍ଚକତା କରାଯାଇଛି ବୋଲି ସଇଁନ୍ତଲା ବ୍ଲକ୍‌ ଘୁନସର ପଂଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀମାନେ ପୁଣି ଥରେ ଚାଷୀଙ୍କ ବିଲରେ ପହଞ୍ଚି ପୂର୍ବ ରିପୋର୍ଟ ଠିକ୍‌ ଥିବା ଦର୍ଶାଇଛନ୍ତି । ବୀମା କମ୍ପାନୀର ପ୍ରତିନିଧି, ପରିସଂଖ୍ୟାନ ବିଭାଗ, କୃଷି ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି କ୍ରପ୍‌କଟିଂ କରାଯାଉଛି । ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ବର୍ତ୍ତମାନ ଖରିଫ ଧାନ ଫସଲର କ୍ରପ୍‌ କଟିଂ ରିପୋର୍ଟ ପ୍ରସ୍ତୁତ କରାଯାଉଛି । କିଛିଦିନ ତଳେ ଘୁନସର ପଂଚାୟତର କନ୍ଧଉଲବା ଗାଁର ଜଣେ ଚାଷୀଙ୍କ ବିଲରେ ବିଭାଗୀୟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ କ୍ରପ୍‌ କଟିଂ କରାଯାଇଥିଲା। ଏଥିରେ ସ୍ବାଭାବିକଠାରୁ ଖୁବ କମ୍‌ ଉତ୍ପାଦନ ହୋଇଥିବା ଜଣାପଡ଼ିଥିଲା । କୃଷି ବିଭାଗ ତରଫରୁ ଫର୍ମ ୮ରେ ସମସ୍ତ ବିବରଣୀ ଲେଖାହେବା ସଙ୍ଗେ ସଙ୍ଗେ ଉପସ୍ଥିତ ବୀମା କମ୍ପାନୀର ଅଧିକାରୀ ମଧ୍ୟ ଦସ୍ତଖତ କରିଥିଲେ । ପରବର୍ତ୍ତୀ ସମୟରେ ବୀମା କମ୍ପାନୀ ପ୍ରତିନିଧି ଏଥିର ଚଞ୍ଚକତା କରି ରିପୋର୍ଟ ଦେବାକୁ ଉଦ୍ୟମ କରିଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏହା ଜାଣିବା ପରେ ଚାଷୀମାନେ କୃଷି ବିଭାଗରେ ଅଭିଯୋଗ କରିଥିଲେ । ଚାଷୀମାନଙ୍କ ଅଭିଯୋଗକୁ ଭିତ୍ତି କରି ବ୍ଲକ କୃଷି ଅଧିକାରୀଙ୍କ ନେତୃତ୍ବରେ ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ସହକାରୀ ନିର୍ଦେଶକ, ବୀମା କମ୍ପାନୀର ଜିଲ୍ଲା ସଂଯୋଜକ, ବ୍ଲକ୍‌ ସଂଯୋଜକ କ୍ରପ୍‌ କଟିଂ ହୋଇଥିବା ଚାଷ ଜମିକୁ ଆଉ ଥରେ ପରିଦର୍ଶନ କରିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇଥିବା କ୍ରପ୍ ‌କଟିଂ ରିପୋର୍ଟ ଠିକ୍‌ ଥିବା ସେମାନେ ପ୍ରକାଶ କରିଥିଲେ । ସୂଚଚାଯୋଗ୍ୟ ଯେ, ବୀମା କମ୍ପାନୀ ଦ୍ବାରା ନିୟୋଜିତ କର୍ମଚାରୀମାନେ କୃଷି, ରାଜସ୍ବ ବିଭାଗ ଓ ଚାଷୀମାନଙ୍କୁ କ୍ରପ୍‌କଟିଂରେ ଠିକ୍‌ଭାବେ ସହଯୋଗ କରୁନଥିବା ଅନେକ ଚାଷୀ ଅଭିଯୋଗ କରୁଛନ୍ତି । କ୍ରପ କଟିଂ ସମୟ ଧାର୍ୟ୍ୟ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତରେ ଘୁଂଚାଇ ଦେଉଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୀମା କମ୍ପାନୀ ଉପରେ ପ୍ରଶାସନ ଲଗାମ ନ ଲଗାଇଲେ ଚା‌ଷୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଂଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.