ପଂଚାୟତିରାଜ ବିଭାଗ ତାଲିମ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ଆଶା ଅନୁଷ୍ଠାନ ଟିଟିଲାଗଡ ଆନୁକୂଲ୍ୟରେ ଓ ସିବିଏମ୍‌ (ସମାହିତ ଓଡିଶା)ର ସହଯୋଗରେ ବ୍ଲକର ଗନ୍ଧର୍ଲା, ଜାମଖୁଣ୍ଟା, ଚାନ୍ଦୋତରା, ଭୁର୍ଷାଗୁଡା, ଅଲଣ୍ଡା, ଅର୍ଶାତୁଲା ଗ୍ରାମ ପଂଚାୟତର ପଂଚାୟତିରାଜ ବିଭାଗର ଅଧିକାରୀ ଓ ଦିବ୍ୟାଙ୍ଗ ଗୋଷ୍ଠୀଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଶାର ବଙ୍ଗୋମୁଣ୍ଡା ସଂଯୋଜକ ପରମେଶ୍ୱର ରଣା, ଆରପି ମାୟାଧର ଗଡତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦୋତରା ପଂଚାୟତର ସରପଂଚଙ୍କ ପ୍ରତିନିଧି ରୂପେଶ ବେହେରା, ଗନ୍ଧର୍ଲା ପଂଚାୟତ ସରପଂଚ ଦୁଳମଣୀ ନାଗ, ଅଲଣ୍ଡା ଜିଆରଏସ୍‌ ରାଜକପୁର ବାଗ, ଅର୍ଶାତୁଲା ଓ ଜାମଖୁଣ୍ଟା ଜିଆରଏସ୍‌ ଦିନେଶ ଜାଲ, ଚାନ୍ଦୋତରା ଜିଆରଏସ୍‌ ପ୍ରମୁଖ ଯୋଗ ଦେଇ ସରକାରୀ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଅଂଶୀଦାର ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଯେହେତୁ ଏହି ଅଂଚଳରେ ଦିବ୍ୟାଙ୍ଗମାନେ ବିଭିନ୍ନ ଯୋଜନାରେ ସାମିଲ ହେଲେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ ବୋଲି ମତବ୍ୟକ୍ତ କରିଥିଲେ । ଆର୍‌ପି ମାୟାଧର ଗଡତିଆ ପଂଚାୟତିରାଜ୍‌ ବିଭାଗର ବିଭିନ୍ନ ପ୍ରକାର ଯୋଜନା ତଥା ଜାତୀୟ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦିବ୍ୟାଙ୍ଗମାନଙ୍କ ଭୂମିକା ଓ ତାର ଲାଭ କିପରି ଉଠାଇ ପାରିବ ସେ ବିଷୟ ରେ ବିଷଦ୍‌ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶାର କର୍ମକର୍ତ୍ତା ନୀଳାମ୍ବର ତାଣ୍ଡି, ବିପିନ ଜାଲ, ତପନ କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.