om academy

କରୋନାରେ ଅଧ୍ୟାପକଙ୍କ ମୃତ୍ୟୁ : ପରିବାର ସଦସ୍ୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଣାସ ଦୟାବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରକାଶ ନାୟକ (୫୯) ଆଉ ଇହଧାମରେ ନାହାନ୍ତି । ତାଙ୍କର କରୋନା ପଜିଟିଭ୍‌ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ୨୦୨୨ ମସିହା ଜାନୁୟାରୀ ମାସରେ ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ । ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ବେରବୋଇ ଗ୍ରାମର ଅଧ୍ୟାପକ ଶ୍ରୀ ନାୟକ ହୋଲି ପରଠାରୁ ଜ୍ୱରରେ ପୀଡ଼ିତ ହୋଇ ନିଜ ବାସଗୃହରେ ରହି ଚିକିତ୍ସିତ ହେଉଥିଲେ । ଗତ ବୁଧବାର ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ଶବକୁ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କ ମୃତ୍ୟୁରେ ଡେଲାଙ୍ଗ ଅଞ୍ଚଳ ସମେତ କର୍ମଭୂମି କଣାସ ଦୟାବିହାର କଲେଜରେ ଶୋକର ଛାୟା ଖେଳିଯାଇଛି । ମୃତ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ବୃଦ୍ଧ ପିତା, ପତ୍ନୀ, ସାନଝିଅ ଓ ପରିବାରର ଅନ୍ୟ ସଦସ୍ୟମାନେ କରୋନା ଆକ୍ରାନ୍ତ ହୋଇ ଏବେ ପୁରୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦିବଂଗତ ଅଧ୍ୟାପକ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ୍‌ର ସଭାପତି ଥିଲେ । ତାଙ୍କ ଅକାଳ ବିୟୋଗରେ ପ୍ରଭାତ କ୍ଲବ୍‌ର ସମ୍ପାଦକ ପଦ୍ମନାଭ ବରାଳଙ୍କ ସମେତ ସମସ୍ତ ସଦସ୍ୟ, କଲେଜ ଅଧ୍ୟାପକ, ଅଧ୍ୟାପିକା, ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକଟ କରିଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

9 + 2 =