ଘନଘନ ବିଜୁଳି କାଟ ବନ୍ଦ, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି ଦାବୀ କଲା ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପାୱାର କଟ୍‌ ବନ୍ଦ କରିବା, ଲୋ-ଭୋଲଟେଜ୍‌ ସମସ୍ୟାର ତୁରନ୍ତ ସମାଧାନ, ଓଡ଼ିଆରେ ବିଜୁଳି ବିଲ୍‌ ପ୍ରଦାନ କରିବା, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି, ବିଜୁଳି ସରବରାହ ଜନିତ କ୍ଷତି କମାଇବା ଓ ବିଜୁଳି ଭିତ୍ତି ବିକାଶରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି ଟଙ୍କା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ନୂଆ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ରବି ରଥ ସ୍ମାରକପତ୍ର ପ୍ରଦାନ କରିଛନ୍ତିି ।
ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଓଡ଼ିଶା ପରିଚିତ । ଅନ୍ୟ ରାଜ୍ୟମାନଙ୍କୁ ବିଜୁଳି ବିତରଣ ହେଉଛି । କିନ୍ତୁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ଥାଇ ମଧ୍ୟ ଓଡ଼ିଶାର ପ୍ରାୟ ୯୫ ଲକ୍ଷ ଉପଭୋକ୍ତା ଦୈନନ୍ଦିନ ବିଜୁଳି ବିଭ୍ରାଟରେ ହନ୍ତସନ୍ତ ହେଉଛନ୍ତି ।
ଆଜିକୁ ୨୭ ବର୍ଷ ତଳେ ଏହି ସଂସ୍କାର ଯେତେବେଳେ ଆରମ୍ଭ ହେଲା ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ । କିନ୍ତୁ ଦୁଃଖର କଥା ନା ବିଜୁଳି ସେବା ଓଡ଼ିଶାରେ ଶସ୍ତା ଓ ସୁଲଭ ମିଳିପାରୁଛି, ନା ଏହା ନିରବଚ୍ଛିନ୍ନ ଗୁଣାତ୍ମକ ହୋଇପାରିଛି । ପଡେ଼ାଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ତାମିଲନାଡୁ ଭଳି ରାଜ୍ୟରେ ବିଜୁଳି ଶସ୍ତାରେ ମିଳୁଥିଲା ବେଳେ ବିଜୁଳି ଉତ୍ପାଦକ ରାଜ୍ୟ ଭାବରେ ପରିଗଣିତ ଓଡ଼ିଶାରେ ବିଜୁଳି ବଳକା ହୋଇଥିବା ବେଳେ ଏହା ଅତ୍ୟନ୍ତ ମହଙ୍ଗା ହୋଇଛି । ଆମଠାରୁ କୋଇଲା କିଣି ବିଜୁଳି ଉତ୍ପାଦନ କରୁଥିବା ଦିଲ୍ଲୀ ଓ ପଞ୍ଜାବ ସାଧାରଣ ଲୋକଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେଉଥିବା ବେଳେ ଆମେ କିନ୍ତୁ ଆମ ଚାଷୀଙ୍କୁ ଆଜିଯାଏଁ ମାଗଣା ବିଜୁଳି ଦେଇ ପାରିଲୁ ନାହିଁ । ତେଣୁ ଓଡ଼ିଶାର ୯୨ ଲକ୍ଷ ବିଜୁଳି ଉପଭୋକ୍ତା ବିଜୁଳି କମ୍ପାନୀମାନଙ୍କର ଅପାରଗତା ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ ଓ ପରିଚାଳନା ଗତ ତ୍ରୁଟି ପାଇଁ ପ୍ରତିବର୍ଷ ବିଦ୍ୟୁତ ଶୁକ୍ଳ ବୃଦ୍ଧିର ବୋଝ ବୋହୁଛନ୍ତି । ଆଜି ବି ଓଡ଼ିଶାରେ ସରବରାହ ଜନିତ କ୍ଷତି ୨୯ ଶତାଂଶ । ଗୋଟିଏ ଶତାଂଶ ସରବରାହ ଜନିତ କ୍ଷତି ଆମେ ଯଦି କମ୍‌ କରିପାରିବା ତା’ହେଲେ ବାର୍ଷିକ ୧୫୩ କୋଟି ଟଙ୍କାର ରାଜସ୍ୱ ସଞ୍ଚୟ ହୋଇପାରିବ । ଅର୍ଥାତ୍‌ ୨୯ ପ୍ରତିଶତ କ୍ଷତି ଯୋଗୁଁ ଆମେ ହାରାହାରି ବାର୍ଷିକ ୪ହଜାର ୨୦୦ କୋଟି ଟଙ୍କାର ବିଦ୍ୟୁତ ଶୁକ୍ଲ ବେଝ ମୁଣ୍ଡାଇ ଚାଲିଛି । ବିଜୁଳି ଭିତ୍ତିଭୂମିର ବିକାଶ ପାଇଁ ବିଗତ ୨୭ ବର୍ଷ ଭିତରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ରାଜ୍ୟବାସୀ ଗୁଣାତ୍ମକ ବିଜୁଳି ସେବା ପାଇପାରୁନାହାନ୍ତି । ଟାଟା କମ୍ପାନୀ ଏହି ଦାୟିତ୍ୱ ନେବା ପରେ ପୂର୍ବରୁ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ପ୍ରାୟ ୩ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଏଥିପାଇଁ ବହୁବାର ଆନ୍ଦୋଳନ ହୋଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଆପଣ ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବେ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.

5 − three =