pakka

କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା କଂଗ୍ରେସ

bbehera

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) :​ କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିଛି । ନବୀନ ପଟ୍ଟନାୟକ ଶାସନରେ ନାଗରିକର ସାମ୍ବିଧାନିକ ଅଧିକାର ଅପହରଣ କରାଯାଇଛି । ବିଧି ବ୍ୟବସ୍ଥା ପ୍ରତି ଉପହାସ କରାଯାଉଛି । ପୋଲିସକୁ ଦଳୀୟ ବାହିନୀ ଭାବରେ ବ୍ୟବହାର କରି ବିଜେଡ଼ି ସରକାର ବିରୋଧି ଦମନ ଅଭିଯାନ ଆରମ୍ଭ କରିଛି, ବୋଲି କଂଗ୍ରେସ କ୍ଷୋଭର ସହ କହିଛି । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଆଜି ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ବିଧାନସଭା ଘେରାଉର ଆହ୍ୱାନ ଦିଆଯାଇଥିଲା ଏବଂ ତଦନୁଯାୟୀ ପ୍ରାୟ ଦଶ ହଜାର ଛାତ୍ର ବନ୍ଧୁମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ରାଜଧାନୀଠାରେ ସମବେତ ହୋଇଥିଲେ । ମମିତା ମେହେରଙ୍କୁ ନ୍ୟାୟ ଦିଆଯାଉ, ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରାଯାଉ, ତାଙ୍କ ବିରୁଦ୍ଧରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମକଦ୍ଦମା ରୁଜୁ କରାଯାଉ ଓ ସମୁଦାୟ ଘଟଣାର ତଦନ୍ତ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସଂଧାନକାରୀ ଦଳ ଦ୍ୱାରା ତଦନ୍ତ କରାଯାଉ ଆଦି ନାରାବାଜି ଦେଇ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମ୍‌ଜିର ବିକ୍ଷୋଭ ସ୍ଥଳକୁ ପ୍ରବେଶ କରୁଥିଲେ । ବିକ୍ଷୋଭ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରିସଂହ ମିଶ୍ର, କଂଗ୍ରେସ ବିଧାୟକ ବୃନ୍ଦ ଓ ଦଳର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର କଂଗ୍ରେସର ଆହ୍ୱାନ ଅନୁସାରେ ବିଧାନସଭା ଘେରାଉ ଉଦ୍ଦେଶ୍ୟରେ ଲୋୟର ପିଏମ୍‌ଜି ରାସ୍ତାରେ ଆଗେଇଥିଲେ । ମାତ୍ର ପୋଲିସ ସେମାନଙ୍କୁ ବାରିକେଡ କରି ଅଟକାଇଥିଲା । କାହିଁକି ବାରିକେଡ କରାଯାଇଛି ଏବଂ ଏ କ୍ଷେତ୍ରରେ ତାଙ୍କୁ କାହିଁକି ବାରଣ କରାଯାଉଛି ବୋଲି ଛାତ୍ରମାନେ ପୋଲିସକୁ ପ୍ରଶ୍ନ କଲାବେଳେ ପୋଲିସ ହଠାତ୍‌ ଉତ୍ତେଜିତ ହୋଇ ଛାତ୍ରମାନଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଇଥିଲା । ତା’ପରେ ପୋଲିସ ହିଂସ୍ରରୂପ ଧାରଣ କରି ଗୋଡ଼ାଇବା ବାହାନରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଆସି କଂଗ୍ରେସ ଭବନରେ ଶତାଧିକ ସଶସ୍ତ୍ର ପୋଲିସ ପଶି ଅନେକ ନିରୀହ କଂଗ୍ରେସ କର୍ମୀ ଉପରେ ନିସ୍ତୁକ ପ୍ରହାର କରିଥିବା ଅଭିଯୋଗ ହୋଇଛି । ଏହା ଏକ ଦୁର୍ଭଗ୍ୟଜନକ ଘଟଣା ବୋଲି କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଉଦ୍‌ବୋଧନ ଦେଇଥିଲେ । କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରମେଶ ଚନ୍ଦ୍ର ଜେନା, ପିସିସି ମୁଖପାତ୍ର ସୁଦର୍ଶନ ଦାଶ ଓ ଜାତୀୟ ଛାତ୍ର କଂଗ୍ରେସ ସମ୍ପାଦିକା ତଥା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five + 11 =