ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଏକ ନିଆରା ପର୍ବ ହେଉଛି ପୁଷ୍ପୁନିର ଛେର୍ଛେରା । ଏହି ପର୍ବଟି ପୌଷ ମାସ ପୂର୍ଣ୍ଣିମା ଦିନ ସମସ୍ତ ପୁରପଲ୍ଲୀ, ଗାଁଗଣ୍ଡାରେ ପାଳନ ହୁଏ । ଏହା ଏକ ନିଆରା ପର୍ବ । ଏଥିରେ ସାଜଶଯ୍ୟା ନାହିଁ କି ପୂଜା ପାଠ ନାହିଁ । ଖାଇବା ପିଇବା, ମଜା ମଜଲିସ କରିବା ଭଲି ଏକ ସୁନ୍ଦର ପର୍ବ । କିଛି ବର୍ଷ ଆଗରୁ ଚାଷୀ ଓ ମହାଜନମାନେ ବର୍ଷ ତମ।ମ ଲୋକଙ୍କୁ ନିଜ ଘରେ ରଖି ବଂଧୁଆ ଶ୍ରମିକ ଭାବେ ଖଟାଉ ଥିଲେ । ପୌଷ ପୂର୍ଣ୍ଣିମା ଦିନ ଶ୍ରମିକ ମାନଙ୍କ ଏକ ବର୍ଷ ପୁରିଯାଉଥିଲା ଏହି ପୂର୍ଣ୍ଣିମା ଦିନ ଓ ସେହିପରି ଏହି ଦିନରେ ମୁକ୍ତି ମିଳୁଥିଲା ବଂଧୁଆ ଶ୍ରମିକ ମାନଙ୍କୁ । ତେଣୁ ଶ୍ରମିକମାନେ ଏହି ପୂର୍ଣ୍ଣିମାକୁ ପୁଷ୍ପୁନି ବୋଲି ମାନୁଥିଲେ । ଆଜି ମଧ୍ୟ ସେହି ପରମ୍ପରା ରହି ଆସିଛି । ଏହି ଦିନ ସମସ୍ତଙ୍କ ଘରେ ଘରେ ପିଠାପଣା ମନ ପସନ୍ଦ ଅନୁସାରେ ପ୍ରସ୍ତୁତ ହୁଏ ତଥା ଆମିଷ ଭୋଜନ ମଧ୍ୟ ଲୋକେ ପ୍ରାୟ ଖାଇଥାନ୍ତି । ପୂର୍ଣ୍ଣିମା ଦିନ ଭୋରରୁ ଗାଁର ଝାଙ୍କର ଗ୍ରାମ ଦେବତାଙ୍କୁ ପୂଜା ପାଠ କରି ସାରିବା ପରେ ଗୌନ୍ତିଆ ଘରକୁ ଯାଇଥାଏ ଛେର୍ଛେରା ମାଗିବା ପାଇଁ । ତାଙ୍କୁ ପିଠା ପଣା, ଧାନ ଓ କିଛି ଟଙ୍କା ପଇସା ଦେଇଥାନ୍ତି ଛେର୍ଛେରା ଆକାରରେ ଗୌନ୍ତିଆ । ଏହାପରେ ଗାଁର ଛୋଟ ଛୋଟ ଛୁଆମାନେ ଗୋଟିଏ ଗୋଟିଏ ବ୍ୟାଗ ଧରି ଦଳ ଦଳ ହୋଇ ବାହାରନ୍ତି ଛେର୍ଛେରା ମାଗିବା ପାଇଁ । ଯାହାର ଘରକୁ ଗଲେ କେହି ଛୁଆ ମାନଙ୍କୁ ମନା ନକରି ଖୁସିରେ ଧାନ, ପିଠା, ଟଙ୍କା ପଇସା ଦେଇଥାନ୍ତି । ଧନୀ ଗରିବ ସବୁ ଘରର ଛୁଆମାନେ ମିଳିମିଶି ଏକାଠି ବୁଲନ୍ତି ଓ ମଜା ଉଠାନ୍ତି, ଛେର ଛେରା ମାଗନ୍ତି । ବଡ଼ ବଡ ଲୋକେ ବାଜା ବଜାଇ ଦଣ୍ଡ ନୃତ୍ୟ କରି ମାଗୁଥିବା ବେଳେ ବୁଢ଼ାବୁଢ଼ୀମାନେ ସମ୍ବଲପୁରୀ ଗୀତ ଗାଇ ଢଗ କହି ମଜା କରୁଥିବା ଦୃଶ୍ୟ ପାଇକମାଲରେ ଶନିବାର ଦେଖା ଯାଇଥିଲା । ପିଲାମାନେ ଫୁଟବଲ, କ୍ରିକେଟ ଖେଳ ରଙ୍ଗ ମାଖି ଖେଳିଥିଲେ । ସେହିପରି ଜର୍ଜଗଡ଼ ଗ୍ରାମରେ ଜଣେ ଝିଅ ପ୍ରିନ୍ସି ପ୍ରଧାନ ଛୋଟ ଛୋଟ ଛୁଆମାନଙ୍କୁ, ଧାନ, ଚାଉଳ ପିଠା ସହ ଟଙ୍କା ପ୍ରତି ଛୁଆଙ୍କୁ ଛେର୍ଛେରା ବାଣ୍ଟୁ ଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରିନ୍ସି ପ୍ରଧାନକୁ କ’ଣ ବାଣ୍ଟୁଛ ବୋଲି ପଚାରିବାରୁ ଆଜି ପୌଷ ପୂର୍ଣ୍ଣିମା ଛୋଟଛୁଆ ମାନଙ୍କୁ ପିଠା କିଛି ଟଙ୍କା ଓ ଧାନ ଚାଉଳ ପୂଣ୍ୟ ଅର୍ଜନ ପାଇଁ ବାଂଟୁଛି ଓ ଏହା ଆମର ପରମ୍ପରା ରହିଛି ବୋଲି ଖୁସିରେ ହସି ହସି ପ୍ରିନ୍ସି କହିଥିଲେ ।