ଡଙ୍ଗରପଡ଼ା ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

  • ବ୍ଲକ ନିକଟରେ ଥାଇ ଗାଁକୁ ନାହିଁ ସବୁଦିନିଆ ରାସ୍ତା
  • ମନ୍ତ୍ରୀ ଓ ପ୍ରଶାସନକୁ ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗାଆଁଟି ବ୍ଲକ ସଦର ମହକୁମାଠାରୁ ନିକଟରେ ଥିଲେ ମଧ୍ୟ ଗାଁକୁ ଏକ ସବୁଦିନିଆ ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଦାବୀ ସତ୍ତ୍ବେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନ ଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଆସନ୍ତା ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଶୁକ୍ରବାର ଗ୍ରାମବାସୀ ପୁଣି ଥରେ ଏ ବିଷୟରେ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଦାବୀ ମୁତାବକ ହଳଦି- ମୁରିବାହାଲ ପୂର୍ତ୍ତ ରାସ୍ତାରୁ ଡଙ୍ଗରପଡ଼ା ଗ୍ରାମ ତଥା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଯାଉଥିବା ୧କିମି ଗ୍ରାମ୍ୟ ରାସ୍ତାଟି ଅତି ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ବଡ ବଡ ଗାତ ହେବା ସହ ଯିବା ଆସିବାରେ ଲୋକେ ଘୋର ହଇରାଣ ହେଉଥିବାରୁ ରାସ୍ତାର ଅବସ୍ଥା କହିଲେ ନ ସରେ । ଖରାଦିନରେ ରାସ୍ତାର ଅବସ୍ଥା ଯଦି ଶୋଚନୀୟ ତେବେ ବର୍ଷା ଦିନରେ ଏହି ଅବସ୍ଥା ଆହୁରି ଦ୍ଵିଗୁଣିତ ହୋଇଥାଏ ।ଗ୍ରାମବାସୀ ରାସ୍ତା ଦୂରାବସ୍ଥା ସମ୍ପର୍କରେ ପୂର୍ବରୁ ବହୁବାର ବିଧାୟକ, ସାଂସଦଙ୍କ ସହ ସମସ୍ତ ପ୍ରସାସନିକ ଅଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଗାଁର ସବୁଦିନିଆ ରାସ୍ତା ସମସ୍ୟା କେବେବି ସୁଧୁରୁ ନାହିଁ । ଶୁକ୍ରବାର ଗ୍ରାମବାସୀ ପୁଣି ଥରେ ଆସି ବିଡ଼ିଓ ପୂଣ୍ଣାନନ୍ଦ ପଟେଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଡ଼ିଓ ବ୍ଲକ ତରଫରୁ କେବଳ ରାସ୍ତା ଉନ୍ନତିକରଣ ପାଇଁ ମୋରମ, ମେଟାଲ କାମ ହୋଇପାରିବ ବୋଲି କହିବାରୁ ଏହା ଅତି କମ୍ ଦିନରେ ଧୋଇଯାଉଥିବାରୁ ଗ୍ରାମବାସୀ ଏହାକୁ ସମ୍ପୂର୍ଣ୍ଣ ମନା କରିଥିଲେ ।ଏହାପରେ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ରଙ୍କୁ ସମ୍ପୂର୍ଣ୍ଣ ରାସ୍ତା ମାପ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଗ୍ରାମବାସୀ ଟିଟିଲାଗଡ ଯାଇ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଟିଟିଲାଗଡ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରି ତୁରନ୍ତ ପ୍ରତିକାର ଦାବୀ କରିଥିଲେ । ଶେଷରେ ଗ୍ରାମବାସୀ ରାଜ୍ୟ ଜଳସେଚନ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଭେଟି ନିଜ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ସେ ଏ ସମ୍ପର୍କରେ ଆରଡି ବିଭାଗକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମର ୱାର୍ଡ ସଭ୍ୟା ସୁମିତ୍ରା କୁମ୍ଭାର, ଗୋପାଳକୃଷ୍ଣ କମ୍ପ, ଭାଗବତ ସାହୁ, କିଶୋର ଚନ୍ଦ୍ର ଭୋଇ, ଗୌରାଙ୍ଗ କୁମ୍ଭାର, ବଳରାମ ଭୋଇ, ସ୍ଵର୍ଣ୍ଣ ସଲତର, ଗିରିଧାରୀ ମଲ୍ଲିକ, ଘୃତନନ୍ଦ ପାତ୍ର, ଶିବ ନାଏକ, ଶେଷଦେବ ଭୋଇ, ଯାମିନୀ ଧରୁଆ, ସୁନନ୍ଦା ଭୋଇ, ସଂଯୁକ୍ତା ସାହୁ, ସାବିତ୍ରୀ ଧରୁଆ, ସବିତା ଭୋଇ, ଜୟନ୍ତୀ ମହାକୁର, ଚାନ୍ଦିନୀ ତାଣ୍ଡି, ନେତ୍ରରାମ ଭାଟି, ନଳିତା ମଲ୍ଲିକ, ମାଳତୀ ଧରୁଆ, ଅନ୍ନପୂର୍ଣ୍ଣା ଧରୁଆ, ସଜନା କାଲସାଏ, ନଳିତା ନାଏକ, ଲୟାବତି ନାଏକ, ଗୌରୀ ବାଗ, ଗୌରୀ ନାଗ, ମାଳତୀ ଧରୁଆ, ଧୁବନୀ ଭୋଇ, ଗୁଲାପି ମହାକୁର, ସୁମତି ବାଗ, ତିଲତ୍ତମା ବାଗ, ପୂର୍ଣ୍ଣବାସି ଧରୁଆ, ଯମୁନା ଧରୁଆ, ମଥୁରା ମଲ୍ଲିକ, ବୃନ୍ଦାବତୀ ଭୋଇ, ବୈଦେହି ବେରିଆ ଓ ଭୂମିସୂତା ନାଏକଙ୍କ ସହ ଗ୍ରାମବାସୀ ଗାଁକୁ ସବୁଦିନିଆ ରାସ୍ତା ସମସ୍ୟା ଦୂର ନ ହେଲେ ବାଧ୍ୟ ହୋଇ ସାଧାରଣ ନିର୍ବାଚନକୁ ବର୍ଜନ କରିବାକୁ ଦୃଢ଼ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

5 × 5 =