ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାକୁ ଭାତ ହାଣ୍ତି କୁହା ଯାଉଥିବା ବେଳେ ଏହି ଭାତ ହାଣ୍ତିର ଗୋଟିଏ ଭାଗ ହେଉଛି ପଦ୍ମପୁର ଉପଖଣ୍ତ । ହେଲେ ଏହାର ଭୌଗଳିକ ସ୍ଥିତି ଯୋଗୁଁ ବହୁ ସମୟରେ ଚାଷୀଙ୍କୁ ମରୁଡିର ମୁହଁ ଦେଖିବାକୁ ପଡିଥାଏ । ହେଲେ ଏବର୍ଷ ଭଲ ବର୍ଷା ଯୋଗୁଁ ବିଲରେ ଖେଳୁଥିଲା ଚାଷୀର ସୁନାର ଫସଲ । ଯାହାକୁ ଦେଖି ଚାଷୀ ମନରେ ବି ଥିଲା ହର୍ଷ ଓ ଉଲ୍ଲାସ ଭରି ରହିଥିଲା । ଭଲ ଅମଳ ସହ ନିଜର କରଜ ସୁଝିବା ସହ ବର୍ଷଟିଏ ପରିବାର ଭଲ ଭରଣ ପୋଷଣ କରିବା ପାଇଁ ଆଶା ବାନ୍ଧିଥିଲା ଚାଷୀ । ହେଲେ ଅଜଣା ରୋଗ ପୋକ ଯୋଗୁଁ ବର୍ତ୍ତମାନ ଏକର ଏକର ଫସଲ ନଷ୍ଟ ହେବାରେ ଲାଗିଛି । ଏ ନେଇ ଚିନ୍ତାରେ ପଡିଛନ୍ତି ପଦ୍ମପୁର ଅଞ୍ଚଳର ଚାଷୀ ।

ଧାନ ଗଛଗୁଡିକ କଂଚା ଅବସ୍ଥାରୁ ହିଁ ପଚିବା ଆରମ୍ଭ ହେଲାଣି । କ୍ଷୀର ଖାଇବା ସମୟରେ ଧାନ କଷି ଗୁଡିକ ଲାଲ ପଡି ପୋଲ ହେବାକୁ ବସୁଛି । ଗଛଗୁଡିକ ପଚି ଯାଇ ନାଲିଆ ହେବାକୁ ବସୁଛି । ବାରମ୍ବାର ଏ ନେଇ ଚାଷୀମାନେ ବିଭାଗୀୟ ଅଧକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ ଔଷଧ ସିଂଚିବା ପରେ ବି କୌଣସି ସୁଫଳ ମିଳୁ ନଥିବାର ଅଭିଯେଗ କରୁଛନ୍ତି ଚାଷୀ । ଅନ୍ୟ ପଟେ ପଦ୍ମପୁର କୃଷି ବିଭାଗ ଅଧିକାରୀ କହିଛନ୍ତି ଯେ ଏ ବିଷୟରେ ସରକାରଙ୍କୁ ସୂଚନା ଦିଆ ଯାଇଅଛି ଏବଂ କର୍ମଚାରୀମାନେ ମଧ୍ୟ ଫିଲ୍ଡ ସର୍ଭେ କରି ଚାଷୀମାନଙ୍କ ସହ କଥା ହୋଇ ନିରାକରଣ ପାଇଁ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟିତ ଅଛନ୍ତି ।

Leave A Reply

Your email address will not be published.