ଅଭିଭାବକ ମଂଚର ଦାବୀ : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଭିଭାବକ ମଂଚ ବଲାଙ୍ଗିରର ଏକ ସ୍ୱତନ୍ତ୍ର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ନିୟମ ପାଳନ ପୂର୍ବକ ଆବଶ୍ୟକ ଦୂରତ୍ୱ ରକ୍ଷା କରି ଉପସଭାପତି ପ୍ରସନ୍ନ ମିଶ୍ର, ସଂପାଦକ ଗୋବିନ୍ଦ ମିଶ୍ର ତଥା କାର୍ୟ୍ୟକାରୀ କମିଟି ସଭ୍ୟ ହରେକୃଷ୍ଣ ପଟେଲ, ପୁରୁଷୋତ୍ତମ ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟ ବୈଠକରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ କୋଭିଡ୍ ମହାମାରୀରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନା ଆରମ୍ଭରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା କୋଭିଡ୍ ପରିଚାଳାନା କାର୍ୟ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରୁଥିବାରୁ କୋଭିଡ୍ ଟେଷ୍ଟିଂ ବ୍ୟବସ୍ଥା ତଥା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅଧିକ ଗତିଶୀଳତା ଆସିଥିବା ମତପ୍ରକାଶ ପାଇଥିଲା । ଏବେ ସର୍ଭେ କାମ ଜାରି ରହିଥିବା ବେଳେ ବିଭିନ୍ନ ୱାର୍ଡର କିଛି ଅଂଚଳକୁ ସଂପୃକ୍ତ କର୍ମୀମାନେ ଛାଡି ଦେଇଥିବା ଏବଂ ବ୍ୟାପକ କୋଭିଡ୍ ଟେଷ୍ଟ ପାଇଁ ଚିଛି ବ୍ୟବସ୍ଥା ନ ଥିବାରୁ ଜିଲ୍ଲାର ବାସ୍ତବ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାଣିବା ଏକ କଷ୍ଟକର ବ୍ୟପାର ହୋଇପଡିଛି । ଏବେ ଘରେ ଆବଦ୍ଧ ଥିବା ଜିଲ୍ଲାର ବରିଷ୍ଠ ନାଗରିକଗଣ ତଥା ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିବିଶେଷଙ୍କୁ ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇବା ଜରୁରୀ ହୋଇ ପଡିଲାଣି । କୋଭିଡ୍ ହସ୍ପିଟାଲ ତଥା ଆଇସୋଲେସନ ୱାର୍ଡରେ ସିସି ଟିଭି ଲଗାଇବା ଏବଂ ରୋଗୀଙ୍କ ସ୍ଥିତି ସଂପର୍କରେ ପରିବାର ସଦସ୍ୟଙ୍କୁ ନିରନ୍ତର ତଥ୍ୟ ପ୍ରଦାନ କରିବା ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବା ପାଇଁ ସଭାରେ ଦାବୀ ହୋଇଥିଲା । କେନ୍ଦ୍ର ସରକାର ଓଡିଶା ସମେତ ୭ଟିି ସବୁଠାରୁ ବିପର୍ୟ୍ୟସ୍ତ ରାଜ୍ୟମାନଙ୍କୁ ହାଇ ଫୋକସ୍ ଦେଇଛନ୍ତି । ଏ ନେଇ ଓଡିଶାକୁ ଆର୍ଥିକ ସାହଯ୍ୟ ଦେବା ସହ ୫୬୭ଟି ଭେଣ୍ଟିଲେଟର ପ୍ରଦାନ କରିଛନ୍ତି । ଖବର ଅନୁଯାୟୀ ବଲାଙ୍ଗିର ସମେତ ୭ଟି ଜିଲ୍ଲାର ଅବସ୍ଥା ଗୁରୁତର ଅଛି । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବଲାଙ୍ଗିର ସମେତ ୫ଟି ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବାରୁ କେନ୍ଦ୍ର ସହାୟତାରେ ଏହାକୁ ଅଧିକ ସଶକ୍ତ କରିବା ଜରୁରୀ ହେଲାଣି । ଏବେ ଭିମସାର୍‌ରେ ଅତ୍ୟାଧୁନିକ କୋଭିଡ୍ ହସପିଟାଲ କାର୍ୟ୍ୟକ୍ଷମ ହୋଇଯିବ । ଫେବୃୟାରୀ ସୁଦ୍ଧା ସେଠାରେ ୧୫୦ କୋଟି ଟଙ୍କା ବ୍ୟୟରେ ସୁପର ସ୍ପେସାଲିଟି ବିଭାଗ ସ୍ଥାପନ ହୋଇ ଚିକିତ୍ସା ହେବା ଆରମ୍ଭ ହେବ । ଏପରି ସ୍ଥଳେ ପଶ୍ଚିମ ଓଡିଶାର ଅନ୍ୟତନ ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲ ଭୀମ ଭୋଇ ମେଡିକାଲ ହସ୍ପିଟାଲକୁ ଅଣଦେଖା କରାଯାଇ ପାରିବ ନାହିଁ । ସାଂସଦ ପାଣ୍ଠିରୁ ବରଗଡ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାକୁ ୨ଟି ଲେଖାଏଁ ଭେଣ୍ଟିଲେଟର ଆମ୍ବିଲାନ୍ସ ଦେବା ପାଇଁ ସୁପାରିଶ ହୋଇଛି । ଏପରି ବ୍ୟବସ୍ଥା ଅନ୍ୟାନ୍ୟ ଜିଲ୍ଲାମାନଙ୍କ ପାଇଁ ମଧ୍ୟ ଗ୍ରହଣ କରାଯାଉ । ଉପରୋକ୍ତ ସମସ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା । ଶେଷରେ ସଂପାଦକ ଗୋବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.