ଜାତୀୟ କବାଡି ଖେଳାଳି ନମିତା ଓ ସୁନୀତାଙ୍କୁ ମିଳିଲା ପ୍ରଶିକ୍ଷିକା ଚାକିରି

  • ଛାତ୍ରଛାତ୍ରୀଙ୍କୁ କବାଡିଖେଳ ତାଲିମଦେବେ, ପାଇବେ ୨୫ ହଜାର ଲେଖାଏଁ ଦରମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦୁଇଜଣ ଜାତୀୟ କବାଡି ଖେଳାଳି ନମିତା ଭୋଇ ଓ ସୁନୀତା ମାଝୀଙ୍କୁ ସରକାର କୌଣସି ସହଯୋଗ କରୁନଥିବା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ଓ ପ୍ରସାରିତ ହୋଇଥିଲା । ଏମାନଙ୍କୁ ପ୍ରୋତ୍ସାହିତ କଲେ ଜୀବନରେ ଆଗକୁ ଉନ୍ନତି କରିପାରନ୍ତେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା । ଏବେ ଶେଷରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନମିତା ଓ ସୁନୀତାଙ୍କୁ ଖୋର୍ଦ୍ଧା ଜିଲ୍ଲା ହଳଦିଆରେଠାରେ ଥିବା ଏକ ସ୍କୁଲରେ କବାଡି ପ୍ରଶିକ୍ଷିକା ଚାକିରିରେ ନିଯୁକ୍ତି ଦେଇଛି । ଯାହାକି ଖୁସିର ବିଷୟ ବୋଲି ସ୍ୱାଗତ କରାଯାଉଛି । ଆଜି ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉପସଭାପତି ସଂଜୟକୁମାର ଜେଠୀ ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ସହିତ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇଛନ୍ତି । ଶ୍ରୀ ଜେଠୀ କହିଛନ୍ତି ଯେ, ଭୁବନେଶ୍ୱରର ପିପୁଲ୍ସ ଫୋରମ ନାମକ ତାଙ୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ହଳଦିଆଠାରେ ଆର୍ଯ୍ୟଭଟ୍ଟ ଏନ୍‌ସିଏଣ୍ଟ ଏକାଡେମୀ ନାମରେ ନର୍ସରୀରୁ ଆରମ୍ଭ କରି ଯୁକ୍ତଦୁଇ ପର୍ଯ୍ୟନ୍ତ ଥିବା ଏକ ସ୍କୁଲ ପରିଚାଳିତ ହେଉଛି । ଗତ କିଛିମାସ ତଳେ ସେମାନେ ଗଣମାଧ୍ୟମରୁ ଜାତୀୟ କବାଡି ଖେଳାଳି ନମିତା ଭୋଇ ଓ ସୁନୀତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେମାନେ ବଲାଙ୍ଗିର ଜିଲ୍ଲାପ୍ରଶାସନ ଜରିଆରେ ଉଭୟଙ୍କୁ ଯୋଗାଯୋଗ କରିଥିଲେ । ସେମାନଙ୍କ ଦକ୍ଷତା ଦେଖି ତାଙ୍କୁ ସ୍କୁଲରେ କବାଡି ପ୍ରଶିକ୍ଷିକା ଭାବରେ ନିଯୁକ୍ତି ଦେବାକୁ ପ୍ରସ୍ତାବ କରାଯାଇଥିଲା । ଏବେ ସେମାନଙ୍କୁ ନେଇ ନିଯୁକ୍ତି ଦିଆଯାଉଛି ବୋଲି ସଂଜୟ ଜେଠୀ କହିଛନ୍ତି । ସେପଟେ ଏହି ଦୁଇ ଜାତୀୟ ଖେଳାଳୀଙ୍କୁ କୌଣସି ପ୍ରକାରେ ସ୍ୱାବଲମ୍ବୀ କରିବାକୁ ପ୍ରଶାସନ ଚେଷ୍ଟିତ ଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ସେହି ସ୍କୁଲରେ ପ୍ରଶିକ୍ଷିକା ହେବାକୁ ସୁଯୋଗ ମିଳିଛି ବୋଲି ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା କହିଛନ୍ତି । ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ପ୍ରକାଶ୍ୟ ଯେ,ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଗମ୍ଭାରୀଗୁଡା ଗାଁର ନମିତା ଭୋଇ ଓ ନୂଆପଡା ପଞ୍ଚାୟତର ତାଣ୍ଡିଗାଁର ସୁନୀତା ମାଝୀ ସଇଁତଲା ଆଶ୍ରମସ୍କୁଲରେ ପାଠ ପଢୁଥିବା ବେଳେ ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗନେଇଥିଲେ । ୨୦୧୪-୧୫ ମସିହାରେ ସ୍କୁଲସ୍ତରୀୟ ଜାତୀୟ କବାଡି ଟିମ୍‌ରେ ନମିତା କ୍ୟାପଟେନ ଥିବା ବେଳେ ସୁନୀତା ଜଣେ ସହଯୋଗୀ ଖେଳାଳି ଭାବରେ ସାମିଲ ଥିଲେ । ସେତେବେଳେ ଏମାନେ ତାଙ୍କ ଟିମ୍‌କୁ ବିଜୟୀ କରାଇ ଓଡିଶାର ଗୌରବ ବଢାଇଥିଲେ । ଏହି ଦୁଇଜଣ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ପରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଖୁବ ନାଁ କରିଥିଲେ । ନମିତା ମାଟ୍ରିକ ପରେ ସୋନପୁର ଜିଲ୍ଲା ଚାରଭଟା ସେକେଣ୍ଡାରୀ ସ୍କୁଲରେ ଯୁକ୍ତଦୁଇ ପାଠ ପଢିଥିଲେ । ସୁନୀତା ମଧ୍ୟ ତେତେଲଖୁଣ୍ଟି କଲେଜରେ ଯୁକ୍ତଦୁଇ ପାଠ ପଢିଥିଲେ । କିନ୍ତୁ ଅର୍ଥାଭାବରୁ ଆଗକୁ ଆଉ ପାଠ ପଢିପାରିନଥିଲେ । ସରକାରୀ ପ୍ରୋତ୍ସାହନ ଅଭାବରୁ ଦୁଇଟି ପ୍ରତିଭା ମଉଳି ଯିବାକୁ ବସିଥିବା ବେଳେ ଏବେ ପିପୁଲ୍ସ ଫୋରମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏମାନଙ୍କୁ ନିଯୁକ୍ତିଦେଇ ପ୍ରୋତ୍ସାହିତ କରିଛି । ଆଗକୁ ଏମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ଆଶା କରାଯାଉଛି । ପ୍ରକାଶ୍ୟ ଯେ, ନମିତାକୁ ଚଳିତବର୍ଷ ପ୍ରଗତିବାଦୀ ଖବରକାଗଜ ପକ୍ଷରୁ ବାର୍ଷିକୋତ୍ସବ ସମୟରେ ପ୍ରଦ୍ୟୁମ୍ନବଳ ଯୁବ ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

sixteen − 14 =