ବଲାଙ୍ଗିର ବାଇପାସ ନିର୍ମାଣ ପ୍ରସଙ୍ଗ

  • ଆହୁରି ତିନି ବର୍ଷ ପରେ ବାସ୍ତବତାର ଋପ ନେବ : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ପ୍ରତୀକ୍ଷିତ ବଲାଙ୍ଗିର ବାଇପାସର କାର୍ଯ୍ୟ ସମାପ୍ତ ହେବା ପଇଁ ଆହୁରି ତିନି ବର୍ଷ ସମୟ ଲାଗିବ । ଆଗାମୀ ମାର୍ଚ୍ଚ ମାସରୁ ଏହାର କାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ତିନି ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଜାତୀୟ ରାଜମାର୍ଗ ଡିଭିଜନ ବଲାଙ୍ଗିର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରୁ ଜଣାଯାଇଛି । ଏହି ପ୍ରକଳ୍ପ ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ମଞୁରି ପାଇଥିଲା କିନ୍ତୁ ଦୀର୍ଘ ୮ ବର୍ଷ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଏହି ବିଳମ୍ବର କାରଣ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ଜାତୀୟ ରାଜମାର୍ଗ ଆୟୋଗଙ୍କ ମୁଖ୍ୟ ଦପ୍ତରକୁ ତଥ୍ୟ ମାଗିଥିଲେ । ସୂଚନା ଅଧିକାର ଆଇନର ଧାରା ୬(୩) ଯୋଗେ ଶ୍ରୀ ପଣ୍ଡାଙ୍କ ଆବେଦନକୁ ବଲାଙ୍ଗିର ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକ ବାଇପାସ ରାସ୍ତା ପାଇଁ ଦୀର୍ଘ ଦିନ ଧରି ବଲାଙ୍ଗିର ସହରବାସୀ ବଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି । ସହର ମଧ୍ୟରେ ରାସ୍ତା ଦୁର୍ଘଟଣା ହେଲେ ବାଇପାସ ରାସ୍ତା ଦାବୀ ତେଜି ଉଠେ ଓ ବଲାଙ୍ଗିରବାସୀ ବନ୍ଦ ପାଳନ କରିଥାନ୍ତି । ଅନେକ ରାଜନୈତିକ ନେତା ବାଇପାସ ରାସ୍ତା କାମ ଶୀଘ୍ର ଆରମ୍ଭ ଓ ଶେଷ ହେବା ଭଳି ଫମ୍ପା ପ୍ରତିଶୃତି ଦେଇ ଲୋକଙ୍କ ରୋଷ ଅସନ୍ତୋଷକୁ ପ୍ରଶମିତ କରିଥାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାରମ୍ଭ ଏପର୍ଯ୍ୟନ୍ତ ହୋଇ ନାହିଁ । ଅତୀତରେ ଏଭଳି ଅନେକ ଘଟଣା ଘଟିଛି । ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାରିଛି । କଟକର ମେସର୍ସ ଶ୍ରୀ ଦୁର୍ଗା କୋଣ୍ଡେଭ ପ୍ରାଇଭେଟ ଲିମିଟେଡକୁ ସ୍ୱୀକାରୋକ୍ତି ପତ୍ର ଏନ୍‌ଏଚ୍‌ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଗତ ବର୍ଷ ଅର୍ଥାତ ୨୦୨୨ ମସିହା ଫେବୃୟାରୀ ୪ ତାରିଖ ଦିନ ପ୍ରଦାନ କରାଯାଇଛି । ରାଜିନାମା େଔପଚରିକତା କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଛି । ନିର୍ମାଣ କାର୍ଯ୍ୟ ଆସନ୍ତା ମାସ ତଥା ମାର୍ଚ୍ଚରେ ଆରମ୍ଭ ହୋଇପାରେ ବୋଲି ତଥ୍ୟରେ କୁହାଯାଇଛି । ଏନ୍‌ଏଚ୍‌ ୨୬ର ବିଜାଖମନ ସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନରୁ ଆରମ୍ଭ ହୋଇ ୧୧.୬୭ କି.ମି ଦୈର୍ଘ୍ୟ ବିଶିଷ୍ଟ ବାଇପାସ ରାସ୍ତା ସମ୍ବଲପୁର ରୋଡର ମାଧିଆପାଲି ସ୍ଥିତ ମାରୁତି ସୁଜୁକି ସୋ’ ରୁମ ପର୍ଯ୍ୟନ୍ତ ନିର୍ମାଣ ହେବ । ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ମୂଲ୍ୟର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଟଙ୍କା ଦିଆ ଶେଷ ହୋଇଛି ବୋଲି ତଥ୍ୟରେ କୁହାଯାଇଛି । ପ୍ରକଳ୍ପ ପାଇଁ ୨୧୦ କୋଟି ୫ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ବିଭାଗ ୨୩୮ କୋଟି ୭୮ ଲକ୍ଷ ଟଙ୍କା ଗତ ୨୦୨୨ ମସିହା ଫେବୃୟାରୀ ୨୨ ତାରିଖ ଦିନ ମଞୁର କରିଛନ୍ତି । ପ୍ରକଳ୍ପର କାର୍ଯ୍ୟାରମ୍ଭ କରିବା ପାଇଁ ଏତେ ବିଳମ୍ବ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ପୁଣି କାହିଁକି ତିନି ବର୍ଷ ସମୟ ସୀମା ଅନୁମତି ଦିଆଯାଇଛି ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ଅନେକ ବଡବଡ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେଉଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ସମ୍ପୃକ୍ତ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବଲାଙ୍ଗିରବାସୀଙ୍କ ସ୍ୱପ୍ନର ପ୍ରକଳ୍ପ ବିଳମ୍ବିତ ଧାରାରେ ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.