ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଦେଉଳୀ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଉଜାଲା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଅରୁଣା ସାହୁ, ଝିମି ମିରି ଆଶାକର୍ମୀ ଅନୁପମା ପଟେଲଙ୍କ ସମେତ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟ,ସଭ୍ୟା ଓ ସ୍ୱୟଂ ସହାୟିକା ସଭ୍ୟା ମାନେ ଏକ ସଚେତନତା ରେଲିର ଆୟୋଜନ କରି ଗାଁର ଗଳିକନ୍ଦିରେ ଯକ୍ଷ୍ମା ଦିବସ ସମ୍ଭନ୍ଦୀୟ ଶ୍ଳୋଗାନ ମାନ ଦେଇ ଲୋକଙ୍କୁ ସଚେତନ କରୁଥିବାର ଦେଖାଯାଇଥିଲା । ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ଏକ ସଭାରେ ସ୍ୱାସ୍ଥ୍ୟ ପରିଦର୍ଶିକ ମନୋରଞ୍ଜନ ସାହୁ ଯୋଗଦେଇ ଯକ୍ଷ୍ମା ଦିବସର କାରଣ ଓ ତାତ୍ପର୍ୟ୍ୟ ସମ୍ପର୍କ ତଥା ଏହାର ଲକ୍ଷଣ, ନିରାକରଣ, ଚିକିତ୍ସା ଓ ସଚେତନତା ପଦକ୍ଷେପ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଦିଗଦର୍ଶକ ଦେଇଥିଲେ । ମହିଳା ‌ସ୍ୱାସ୍ଥ୍ୟକର୍ମୀ ଶବର ଯଥାଶୀଘ୍ର ଆଶାକର୍ମୀ ମାନଙ୍କ ଜରିଆରେ ସନ୍ଦେଇ ରୋଗୀ ମାନଙ୍କର କଫ ସଂଗ୍ରହ କରି ପରୀକ୍ଷା ପରେ ଯେଉଁ ମାନଙ୍କର କଫ ପଜେଟିଭ ବାହାରିବ ସେମାନଙ୍କ ଚିକିତ୍ସା ତଥା ରୋଗୀଙ୍କୁ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ରାଶି ବିଷୟରେ ବୁଝାଇଥିଲେ । ଶୀଘ୍ର ସଠିକ ଚିହ୍ନଟ ଓ ସମ୍ପୁର୍ଣ୍ଣ ଚିକିତ୍ସା ଦ୍ୱାରା ଯକ୍ଷ୍ମା ରୋଗ ଭଲ ହୋଇଥାଏ । ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଆଶା ଭଉଣୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅବଗତ କରାଯାଇଥିଲା । ଶେଷରେ ଆଶାକର୍ମୀ ଅନୁପମା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.