
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପୂଜା, ପର୍ବପର୍ବାଣୀ ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି । ଉଚ୍ଚ ଶବ୍ଦରେ ଦୀର୍ଘ ସମୟ ଧରି ଡିଜେ ବାଜିବା ଯୋଗୁଁ ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ବିଶେଷ ଭାବେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ବିଶେଷ କରି ହୃଦ୍ରୋଗୀ ଓ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଅତ୍ୟଧିକ ଶବ୍ଦ ଅଡୁଆ ସୃଷ୍ଟି କରୁଛି । ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁଁ ମାନସିକ ଚାପ, ଅସ୍ଥିରତା ଓ ନିଦ୍ରାରେ ବ୍ୟାଘାତ ଭଳି ସମସ୍ୟା ଦେଖାଦେଉଥିବାରୁ ରୋଗୀଙ୍କ ପରିବାର ଚିନ୍ତା ପ୍ରକାଶ କରୁଛନ୍ତି । ଅନ୍ୟପଟେ ମେଡିକାଲ ଓ ହସ୍ପିଟାଲ ନିକଟରେ ମଧ୍ୟ ଉଚ୍ଚଶବ୍ଦରେ ଡିଜେ ବାଜିବା ନେଇ ଅସନ୍ତୋଷ ବଢ଼ିଛି । ଚିକିତ୍ସାଧୀନ ରୋଗୀଙ୍କ ଆରାମ ଓ ନିରବ ପରିବେଶ ଆବଶ୍ୟକ ଥିବା ବେଳେ ଏଭଳି ଶବ୍ଦ ପରିବେଶ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଉଛି । ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳରେ ଡିଜେର ଶବ୍ଦସୀମା ଓ ସମୟସୀମା ଉପରେ କଡ଼ା ନଜର ରଖିବା ସହ ହସ୍ପିଟାଲ, ସ୍କୁଲ ଓ ଜନବସତି ନିକଟରେ ଉଚ୍ଚଶବ୍ଦର ଡିଜେ ବ୍ୟବହାର ରୋକିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି ।

