csstore

ଚଲକି ପଞ୍ଚାୟତ ହିତାଧିକାରୀଙ୍କୁ ଦୁଇ ମାସ ହେବ ମିଳିନି ବାର୍ଦ୍ଧକ୍ୟ : ବିଧବା ଓ ବିକଳାଙ୍ଗ ଭତ୍ତା

  • ବ୍ଲକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତର ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଦୀର୍ଘ ଦୁଇ ମାସ ହେବ ଭତ୍ତା ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଭତ୍ତାରୁ ବଞ୍ଚିତ ହିତାଧୀକାରୀମାନେ ବୁଧବାର ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ହିତାଧୀକାରୀଙ୍କ ଅଭିଯୋଗ ମୁତାବକ ଚଲକି ପଞ୍ଚାୟତରେ ମେ ଓ ଜୁନ ୨ ମାସ ହେବ ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ପାଇବାରୁ ବହୁ ହିତାଧିକାରୀ ବଞ୍ଚିତ ହୋଇଛନ୍ତି । ଏ ବିଷୟରେ ସେମାନେ ଦାୟିତ୍ୱରେ ଥିବା ପଞ୍ଚାୟତ ପିଇଓ ମିଳନ ରାଜପଳିଆଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ବୁଧବାର ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ବିଡ଼ିଓଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ପିଇଓଙ୍କ କୌଣସି ମତାମତ ମିଳିପାରିନାହିଁ । ବିଡ଼ିଓଙ୍କ ଅନୁପସ୍ଥିତିରେ ଦାବିପତ୍ର ଗ୍ରହଣ କରିଥିବା ବ୍ଲକର ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଓ ନୂତନ ଭାରପ୍ରାପ୍ତ ଜିପିଡିଓ ଗଙ୍ଗାଧର ଛତର ତଦନ୍ତ କରି ଶୀଘ୍ର ବଞ୍ଚିତ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ୱାର୍ଡ ସଭ୍ୟ ମକାରୁ ମାଝୀଙ୍କ ନେତୃତ୍ୱରେ ବଞ୍ଚିତ ହିତାଧୀକାରୀ ଧନମତ ହାତୀ, ଫଟୋ ହରପାଲ, ଲକ୍ଷ୍ମଣ ବାଗ, ରାତ୍ର ମାଝୀ, ଟିକେ ତାଣ୍ଡି, ସାଧନ୍ତି ତାଣ୍ଡି, ହରିପ୍ରିୟା ତାଣ୍ଡି, ରବି କଲେତ, ଦୁର୍ଯ୍ୟାଧନ ମାଝୀ, କାନ୍ତା ପ୍ରଧାନୀ, ଅନିରୁଦ୍ଧ ବାଗ, ବୁଦ୍ଧ ପ୍ରଧାନୀ, ଧରମ ସିଂ ଭଞ୍ଜ, କମଳା ଭୋଇ, ପିତ ଧଙ୍ଗଡାମାଝୀ, ବାସନ୍ତୀ ପାତ୍ର, ଶ୍ରୀକର ବାଗ, ଭଗବାନ ବାଗ ଓ କର୍ମୀ ବେନିଆଙ୍କ ସହ ପଞ୍ଚାୟତର ବହୁ ହିତାଧୀକାରୀ ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.