
ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରିଷ୍ଠ ରାଜନେତା, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଓ ଭଟଲିର ତିନିଥର ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଆଜି ହଜାର ହଜାର ଜନସାଧାରଣ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ସୋହେଲାରୁ ତାଙ୍କ ପୈତୃକ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ସାତ କିଲୋମିଟର ଦୀର୍ଘ ଶୋକ ଶୋଭାଯାତ୍ରାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଞ୍ଜଳି ସଭା, ଶୋକଯାତ୍ରା ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ପ୍ରାୟ ଆଠ ଘଣ୍ଟା ଧରି ଚାଲିଥିଲା । ଏହି ଅନ୍ତିମ ବିଦାୟ ଯାତ୍ରାରେ ବହୁ ସଂଖ୍ୟକ ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବିଭିନ୍ନ ଜନପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଯୁବବର୍ଗ, କୃଷକ, ଶ୍ରମିକ, ମହିଳା ଏବଂ ସମସ୍ତ ବର୍ଗର ଜନସାଧାରଣ ଯୋଗଦେଇ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ, ପ୍ରବଣ କୁମାର ଦାସ, ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପଦ୍ମପୁର ବିଧାୟକା ବର୍ଷା ସିଂ ବରିହା, ପୂର୍ବତନ ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ସୁଶାନ୍ତ ମିଶ୍ର, କଂଗ୍ରେସର ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା ବର୍ଗ, କୃଷକ, ଶ୍ରମିକ, ମହିଳା ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ । ଶୋକ ପ୍ରକାଶ କରିବାକୁ ଆସିଥିବା ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ କହିଥିଲେ ଯେ, ସୁଶାନ୍ତ ସିଂହଙ୍କ ଦେହାନ୍ତ କେବଳ ତାଙ୍କ ପରିବାର କିମ୍ବା ଏକ ରାଜନୈତିକ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ଜନସାଧାରଣଙ୍କ ସୁଖ-ଦୁଃଖରେ ସାମିଲ ହେଉଥିବା ଜଣେ ନିର୍ଭୀକ, ସରଳ ଓ ଜନମୁଖୀ ନେତା ଭାବେ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିଲେ । ଶ୍ରମମନ୍ତ୍ରୀ ଭାବେ ଶ୍ରମିକ କଲ୍ୟାଣ ପାଇଁ ତାଙ୍କର ପଦକ୍ଷେପ, ଶକ୍ତିମନ୍ତ୍ରୀ ଭାବେ ବିଦ୍ୟୁତ୍ ବ୍ୟବସ୍ଥାର ବିକାଶ ସହ କୃଷି, ସେଚନ, ଗ୍ରାମୀଣ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ଓ ସେତୁ ନିର୍ମାଣ କ୍ଷେତ୍ରରେ ତାଙ୍କର ଅବଦାନ ଆଜି ମଧ୍ୟ ସ୍ମରଣୀୟ ବୋଲି ବକ୍ତାମାନେ କହିଥିଲେ । ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ନିର୍ଭୀକ ନେତୃତ୍ୱ, ଲୋକସେବା ପ୍ରତି ନିଷ୍ଠା ଏବଂ ସାଧାରଣ ଲୋକଙ୍କ ପ୍ରତି ତାଙ୍କର ସମର୍ପଣ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶୋକସଭାରେ ମତ ପ୍ରକାଶ ପାଇଥିଲା । ଅନ୍ତିମ ସଂସ୍କାର ସମୟରେ ପରିବେଶ ଭାବବିହ୍ୱଳ ହୋଇଉଠିଥିଲା ଏବଂ ହଜାର ହଜାର ଲୋକ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ।