ରାସ୍ତାକଡ଼ରେ ଭୋକ ଅଂଡ଼ାଳୁଛି ଜୀବନ : ମାନସିକ ବିକୃତା ମହିଳାଙ୍କ ଭୋକ ମେଣ୍ଟାଉଛି ଅଳିଆ ଗଦାର ପଚାସଢ଼ା ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗରିବ, ନିରୀହ, ଅସହାୟ ଓ ମାନସିକ ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ତାହା ବାଟବଣା ହୋଇପଡିଥିବା ଅନୁମିତ ହେଉଛି । ପ୍ରକାଶ ଯୋଗ୍ୟ ଯେ, ବ୍ଳକର ଜାତୀୟ ରାଜପଥ-୨୬ ମହଗାଁ ଠାରେ ଜଣେ ମାନସିକ ବିକୃତା ମହିଳା ବସବାସ କରୁଛନ୍ତି । ଭୋକ ବିକଳରେ ସେ କୁଢ଼ କୁଢ଼ ଆବର୍ଜନା ରହି ଥିବା ସ୍ଥାନରୁ ପଚା ସଢା ଖାଦ୍ୟପେୟ ସଂଗ୍ରହ କରି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଭୋକ ମେଣ୍ଟାଇବା ପାଇଁ ଏହି ମାନସିକ ବିକୃତା ମହିଳା ଜଣକ ଅଳିଆ ଆବର୍ଜନା ଭିତରୁ ପଚାସଢ଼ା ଖାଦ୍ୟ ସାଉଁଟି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏବେ ବି ସରକାରଙ୍କ ଅବହେଳା ଯୋଗୁଁ ଏଭଳି ଅନେକ ନିରୀହ ଲୋକେ ଭୋକ ଉପାସରେ ଦିନ ବିତାଉ ଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ମଣିଷ ଭିତରୁ ଧୀରେ ଧୀରେ ହଜିଯାଉଛି ମଣିଷ ପଣିଆ । କିଛି ଯୌନ ପିପାସୁଙ୍କ ଆସୁରିକ କବଳରୁ ମାନସିକ ଅନଗ୍ରସର ମହିଳା ମଧ୍ୟ ବାଦ୍‌ ପଡୁନାହାନ୍ତି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ । ସୁଜିଆ ଗ୍ରାମର ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏଥିରେ ମାନସିକ ଭାରସାମ୍ୟ ହରାଇ ଥିବା ମହିଳାମାନେ ସୁରକ୍ଷିତ ନ ଥିବା ପରିଲକ୍ଷିତ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ରାଜ୍ୟ ସରକାରଙ୍କ ଏସବୁ ଯୋଜନା କାହା ପାଇଁ ? ଭୋକ ଉପବାସରେ ରାସ୍‌ସ୍ତାକଡ଼ରେ ଆଶ୍ରୟ ନେଉଥିବା ମହିଳା ଯଦି ପଚା ସଢା ଖାଦ୍ୟ ଭୋଜନ କରୁଛି, ତାହା ସ୍ଥାନୀୟ ପ୍ରଶାସନ ଅବହେଳା ତଥା ଲଜ୍ଜ୍ୟାଜନକ ବିଷୟ ବୋଲି ଲୋକେ ମତ ଦେଉଛନ୍ତି । ସବୁଠାରୁ ବଡ଼ କଥା ହେଲା, ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଯାତାୟାତ କରୁଥିବା ବେଳେ ଅନେକ ନେତା, ମନ୍ତ୍ରୀ ଯିବା ଆସିବା କରନ୍ତି । ହେଲେ ଏହି ବିଚାରୀ ମାନସିକ ବିକୃତା ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡୁନ ଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ବିଡିଓ ଚନ୍ଦ୍ର ମଣୀ ନାଗଙ୍କୁ ପଚାରିବାରୁ ମୋ’ ପାଖରେ ଖବର ନ ଥିଲା, ଆପଣଙ୍କ ପାଖରୁ ଜାଣିଲି ଓ ଖୁବଶୀଘ୍ର ଏହି ମହିଳାମାନସିକ ବିକୃତା ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଛି, ପ୍ରଶାସନ କେବେ ତତ୍ପରତା ଦେଖାଇ ଉଦ୍ଧାର କରୁଛି ଏହି ମାନସିକ ବିକୃତା ମହିଳାଙ୍କୁ ।

Leave A Reply

Your email address will not be published.

eighteen − twelve =

error: Content is protected !!