
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ରତାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡୁମେରଝରନ ଗ୍ରାମର କଞ୍ଚି ବାଗ, ବୟସ ପାଖାପାଖି ୫୦ରୁ ଅଧିକ । ଦୀର୍ଘବର୍ଷ ପୂର୍ବରୁ ବାହା ହୋଇଥିଲେ ମଧ୍ୟ ଏବେ ସେ ସ୍ୱାମୀ ପରିତ୍ୟକ୍ତା । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କର ନିଜସ୍ୱ ପକ୍କା ଘର ନାହିଁ । ଦଶବର୍ଷ ତଳେ ବାପାଙ୍କ ଦେହାନ୍ତ ପରେ ବଡ଼ ଭଉଣୀଙ୍କ ସହ ଜରାଜୀର୍ଣ୍ଣ ଘରେ ଜୀବନ ବିତାଉଛନ୍ତି କଞ୍ଚି । ତେବେ ବର୍ଷା ଦିନରେ ଘରେ ପାଣି ପଶିବା ସହିତ ସାପ, ବିଛା ଭଳି ସରୀସୃପର ଆଶଙ୍କା ରହୁଛି । ଭଲଭାବେ ଚାଲିପାରୁ ନ ଥିବା କଞ୍ଚିଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଥିବା ବେଳେ ସରକାରୀ ବାବୁମାନଙ୍କ ନଜର ମଧ୍ୟ ପଡ଼ିପାରୁ ନାହିଁ । ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ଏଭଳି ଜଣେ ଅସହାୟ ମହିଳା ଆବାସ ଘର ପାଇବାରୁ ବଞ୍ଚିତ ହେବା ନେଇ ସାଧାରଣରେ ପ୍ରଶାସନର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏହାର ବିଧିବଦ୍ଧ ତଦନ୍ତ ପୂର୍ବକ ଯୋଗ୍ୟତା ଭିତ୍ତିରେ କଞ୍ଚି ବାଗଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଦାବି ହୋଇଛି ।