
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍ଘାଟ୍-୨୦୨୬’ ଅନୁଷ୍ଠିତ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍ଏସ୍) : ୟୁଥ୍ କ୍ଲବ୍ ‘ମର୍ଣ୍ଣିଙ୍ଗ ଷ୍ଟାର’ ତରଫରୁ ସରଗାଡ଼ଠାରେ ପବିତ୍ର ‘୫ମ ନୂଆଁଖାଇ ଭେଟ୍ଘାଟ୍-୨୦୨୬’ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବର ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଆମର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଜନତା ଯୋଗଦେଇଥିଲେ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ବିଶିଷ୍ଟ ସମାଜସେବୀ ଅକବର ଖାନ୍, ଡ. ସୁଜ୍ଞାନେନ୍ଦ୍ର ମିଶ୍ର ଏବଂ ସମିତି ସଭ୍ୟ ବିରେନ୍ଦ୍ର ସାହୁ ଉପସ୍ଥିତ ରହି ଉତ୍ସବର ଶୋଭାବର୍ଦ୍ଧନ କରିଥିଲେ । ମୁଖ୍ୟ ଅତିଥି ଡ. ମୁକେଶ ମହାଲିଙ୍ଗ ନିଜ ବକ୍ତବ୍ୟରେ କହିଥିଲେ, “ପଦ୍ମଶ୍ରୀ ହଳଧର ନାଗଙ୍କ ଉପସ୍ଥିତି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ଗହଣରେ ଭାବ ବିନିମୟ ଏହି ଉତ୍ସବକୁ ଆହୁରି ସ୍ମରଣୀୟ କରିପାରିଛି । ଆମ ସଂସ୍କୃତି ଓ କଳାର ପ୍ରଚାର-ପ୍ରସାର ପାଇଁ ‘ମର୍ଣ୍ଣିଙ୍ଗ ଷ୍ଟାର’ର ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଆଗାମୀ ଦିନରେ ଏହି ଆୟୋଜନ ଆହୁରି ଦିବ୍ୟ ଓ ଭବ୍ୟ ହେଉ—ଏହା ମୋର ଶୁଭକାମନା ।” ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ‘କଳା ସମ୍ମାନ’ରେ ସମ୍ମାନିତ କରାଯାଇଥିଲ । ଉତ୍ସବରେ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାସହ ଆୟୋଜିତ ଆକର୍ଷଣୀୟ ନୃତ୍ୟ ପ୍ରତିଯୋଗିତା ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଶେଷରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିବା ସମସ୍ତ ଅତିଥି, ପ୍ରତିଯୋଗୀ ଓ ଅଞ୍ଚଳବାସୀଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ ।
