om academy

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହାସମାବେଶ

jsm
  • ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦମାନେ ଭଲ କାମ କରୁଛନ୍ତି
  • ଜନଜାତି କଳା ଓ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି
  • ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସ୍‌ଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସ୍‌ଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଏହି ମହାସମାବେଶକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସ୍‌ଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି । ୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସ୍‌ଡିସିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି । ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ କହିଥିଲେ । ସେ କହିଥିଲେ ଯେ ୧୧ ହଜାରରୁ ଅଧିକ ପବିତ୍ର ପୂଜାସ୍ଥଳିର ସଂରକ୍ଷଣ କରାଯାଇଛି । ଏହା ଏକ ବଡ ଉପଲବ୍ଧି । ଏହା ବ୍ୟତୀତ ବ୍ଲକ ଓ ଜିଲ୍ଲାସ୍ତରରେ ୬୦୦ରୁ ଅଧିକ କ୍ରୀଡା ଓ ସଂସ୍କୃତି ଉତ୍ସବର ମଧ୍ୟ ଆୟୋଜନ କରାଯାଇଛି ବୋଲି ସେ କହିଥିଲେ । ୨୧ଟି ଦ୍ଵି ଭାଷିକ ଭାଷାକୋଷ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ଓଡ଼ିଶାରେ ଉପସ୍ଥିତ ଥିବା ୧୩ଟି ପିଭିଟିଜି ସମ୍ପ୍ରଦାୟର ଦମ୍ପତିଙ୍କ ସହ ଫଟୋ ଉଠାଇଥିଲେ । ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର “ହୋ ସମାଜ ସାଗନ ଅକଳାକୁ” ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି ‘ଜାହିରା’କୁ ସାମୁହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ । ଏହାବ୍ୟତୀତ ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ଏବଂ ୧୧୨ଟି ଟିଏସ୍‌ପି ବ୍ଲକ ସମ୍ପ୍ରଦାୟର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଆଧାରରେ ଭାଗିଦାରୀ ଶାସନ ଉପରେ ନିଆଯାଇଥିବା ପଦକ୍ଷେପର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟ ଉନ୍ମୋଚନ କରିଥିଲେ । ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟର ଗବେଷଣା ଦଳ ଦ୍ୱାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ “Sacred Groves of Tribal Odisha”, ଏସ୍‌ସିଏସ୍‌ଟିଆର୍‌ଟିଆଇ ଦ୍ୱାରା ପ୍ରକାଶିତ ସମରେନ୍ଦ୍ର ଭୁତିଆଙ୍କ “ସ୍ୱାଧୀନ ସଂଗ୍ରାମରେ ଓଡ଼ିଶାର ଜନଜାତି” ପୁସ୍ତକ, ଏସ୍‌ସିଏସ୍‌ଟିଆର୍‌ଟିଆଇ ଦ୍ୱାରା ପ୍ରକାଶିତ ୧୭ଟି ଏମ୍‌ଏଲ୍‌ଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସ୍‌ଡିସି ଦ୍ୱାରା ଓଡ଼ିଆରେ ଅନୁବାଦିତ ୨୫ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଜନଜାତି ଐତିହ୍ୟ ଓ ପରମ୍ପରାର ସୁରକ୍ଷା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କର ଜନଜାତି କଳା ଓ ସଂସ୍କୃତି ପ୍ରତି ଆନ୍ତରିକ ଭଲ ପାଇବା ଓ ନିଷ୍ଠା ଅଛି ବୋଲି ସେ କହିଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଲେ ଯେ ଭାରତର ଅନେକ ସରକାର ଜନଜାତି ମାନଙ୍କ ପାଇଁ ଅନେକ ସ୍ଵପ୍ନ ଦେଖିଛନ୍ତି । କିନ୍ତୁ ଓଡ଼ିଶାରେ ହିଁ ଜନଜାତି ମାନଙ୍କ ସ୍ଵପ୍ନ ପୂରଣ ହୋଇଛି । ଜନଜାତି ଯୁବକମାନେ ଆଜି ବଡ ହେବାର ସ୍ୱପ୍ନ ଦେଖିି ପାରୁଛନ୍ତି ଓ ପୂରଣ ମଧ୍ୟ କରୁଛନ୍ତି । ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋଷନ ସାହୁ କହିଲେ ଯେ ପୂଜା ସ୍ଥଳୀର ସଂରକ୍ଷଣ ସହିତ ପୂଜା ସ୍ଥଳୀକୁ ପଟ୍ଟା ପ୍ରଦାନ କରିବାର ଉଦାହରଣ ଓଡ଼ିଶା ବ୍ୟତୀତ ଆଉ କେଉଁଠାରେ ନାହିଁ । ଜନଜାତିଙ୍କ ଅଧିକାରର ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସବୁଠାରୁ ଆଗରେ ବୋଲି ସେ କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ୪୫ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ଥିବା ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରକୁ ୨୦୧୭ରେ ଏସ୍‌ଡିସି ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୩ ମେ ମାସରେ ନୟାଗଡ଼, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗିର ଓ କଳାହାଣ୍ଡି ଭଳି ଅତିରିକ୍ତ ୧୪ଟି ଜିଲ୍ଲାକୁ ସାମିଲ କରାଯାଇଥିଲା । ବର୍ତ୍ତମାନ ୧୭୫ଟି ବ୍ଲକକୁ ମିଶାଇ ମୋଟ ୨୩ଟି ଜିଲ୍ଲାରେ ୧ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି । ଏସ୍‌ଡିସି ଅଧୀନରେ ହୋଇଥିବା ସାଂସ୍କୃତିକ ବିକାଶ କାର୍ଯ୍ୟ ପାଇଁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ବ୍ଲକକୁ ବର୍ଷକୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଅଞ୍ଚଳର ଜଣେ ବିଶିଷ୍ଟ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ଅଧ୍ୟକ୍ଷତାରେ ବ୍ୟକ୍ତିଗତ ଏସ୍‌ଡିସି ଗଠନ କରାଯାଇଥିବା ବେଳେ ପରିଷଦଗୁଡ଼ିକ ଆଦିବାସୀ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରି “ଜନଜାତି-ସଂସ୍କୃତି-ପ୍ରଗତି” ଶୀର୍ଷକ ରଖିଛନ୍ତି ।

ବିରଳ ସଫଳତା :
ବିଗତ କିଛି ବର୍ଷ ମଧ୍ୟରେ ଏସ୍‌ଡିସିମାନେ ଆଦିବାସୀ ସଂସ୍କୃତି ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା, ସଂରକ୍ଷଣ, ପ୍ରୋତ୍ସାହନ ଓ ଡକ୍ୟୁମେଣ୍ଟେସନ୍ ଆଣି ଅନେକ ବିରଳ ସଫଳତା ହାସଲ କରିଛନ୍ତି । ଏଥିରେ ୧୧ ହଜାରରୁ ଅଧିକ ‘ପବିତ୍ର ପୀଠ’ର ସୁରକ୍ଷା, ୨,୮୩୦ଟି ଆଦିବାସୀ ସାଂସ୍କୃତିକ କ୍ଲବ୍ ନିର୍ମାଣ, ୧,୧୩୩ଟି ଆଦିବାସୀ ହାଟର ଉନ୍ନତି, ୧,୯୩୪ଟି ସଙ୍ଗୀତ ଦଳକୁ ବାଦ୍ୟଯନ୍ତ୍ର ବଣ୍ଟନ, ୧,୩୨୬ଟି ନୃତ୍ୟ ଦଳକୁ ନୃତ୍ୟ ପୋଷାକ ପ୍ରଦାନ, ୯୪୨ଟି ଏସ୍‌ଡିସି ଚାମ୍ପିୟନଙ୍କୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ, କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ପ୍ରାୟ ୨,୮୦୯ଟି ଆଦିବାସୀ ଯୁବ କ୍ଲବ ଏବଂ ୬୦୦ରୁ ଅଧିକ ବ୍ଲକ୍ ଓ ଜିଲ୍ଲା ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ କରାଯାଇଛି । ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟରେ ୨୧ଟି ଆଦିବାସୀ ଦ୍ୱିଭାଷିକ ଅଭିଧାନ ପ୍ରଣୟନ ଆକାରରେ ଆଦିବାସୀ ଭାଷାର ପ୍ରଚାର ପ୍ରସାର ଏବଂ ୨୧ଟି ଆଦିବାସୀ ତ୍ରିଭାଷୀ ଦକ୍ଷତା ଅନ୍ତର୍ଭୁକ୍ତ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ୧୪,୯୨୬ ଜଣ ଆଦିବାସୀ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟ ଏବଂ ୩୬,୩୦୯ ଜଣ ଆଦିବାସୀ କାରିଗରଙ୍କୁ ଏସ୍‌ଡିସି କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି ପ୍ରମୁଖ ଉପଲବ୍ଧି ବ୍ୟତୀତ ଏହି ସବୁ ପଦକ୍ଷେପକୁ ସମ୍ପ୍ରଦାୟର ନିକଟତର ହେବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବେ ଗୋଷ୍ଠୀ ଜଙ୍ଗଲ ଅଧିକାର ବ୍ୟବସ୍ଥା ଅନୁଯାୟୀ ‘ପବିତ୍ର ପୀଠ’ ପାଇଁ ରେକର୍ଡ ଅଫ୍ ରାଇଟ୍ସ (ଆର୍‌ଓଆର୍‌) ପ୍ରଦାନକୁ ସୁନିଶ୍ଚିତ କରୁଛି । ଆର୍ଥିକ କ୍ଷେତ୍ରରେ ୯ଟି ପୁରୁଣା ଏସଡିସିଙ୍କୁ ଏହାର ପ୍ରତିଷ୍ଠା ତାରିଖଠାରୁ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ୩୯୭ କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ସମସ୍ତ ୨୩ଟି ଏସ୍‌ଡିସି ଜିଲ୍ଲା ପାଇଁ ମୋଟ ୪୦୧.୨୫ କୋଟି ଆବଣ୍ଟନ କରାଯାଇଛି । ରାଜ୍ୟ ସରକାର ଏହାର ପ୍ରତିଷ୍ଠା ଦିନରୁ ଏପର୍ଯ୍ୟନ୍ତ ଏସ୍‌ଡିସିମାନଙ୍କୁ ମୋଟ ୭୯୮.୨୫ କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି ।

Leave A Reply

Your email address will not be published.

fifteen − 10 =