ଗାଁ ରାସ୍ତା ଚଉଡା କରିବା ପାଇଁ ନିଜ ବାରଣ୍ଡା ଭାଙ୍ଗିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ୍ୟ ଉନୟନ ଏବଂ ରାସ୍ତା ନବୀକରଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ସଫଳ ହୋଇପାରୁ ନାହାନ୍ତି । ହେଲେ ଏଠି ନିଜ ପ୍ରୟାସରେ ଗାଁ ରାସ୍ତା ଚଉଡା କରିବା ପାଇଁ ନିଜ ଘର ବାରଣ୍ଡା ଏବଂ କାନ୍ଥ ଭାଙ୍ଗିଛନ୍ତି ନିଜେ ଗ୍ରାମବାସୀ ।

କେଉଁଠି ଲୋକେ ନିଜ ଜାଗା ଛାଡିବା ପାଇଁ ନାରାଜ ତ ଆଉ କେଉଁଠି ଜବର ଦଖଲ କରାଯାଇଛି ସରକାରୀ ରାସ୍ତା । ହେଲେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବଲାଙ୍ଗିର ଗାଁରେ କିନ୍ତୁ ଦୃଶ୍ୟ ଟିକେ ନିଆରା । ସବୁଜିମା ଖେତରେ ଲହଡି ମାରୁଥିବା ଧାନ ଏବଂ ଜଙ୍ଗଲର ସୌନ୍ଦର୍ୟ୍ୟ ଭରା ଏହି ଗ୍ରାମ । ଗ୍ରାମରେ ପ୍ରାୟ ଲୋକ ଚାଷ କାମ ଉପରେ ନିର୍ଭର କରିଥାନ୍ତି । ଏ ନେଇ ଗାଁରେ ପ୍ରାୟ ୩୦ରୁ ଅଧିକ ଟ୍ରାକ୍ଟର ଅଛି । କିନ୍ତୁ ଗାଁର ରାସ୍ତା ଚଉଡା ନଥିବାରୁ ଲୋକଙ୍କୁ ଚାଷ ଅମଳ ହେଉ ଅବା ଚାଷ ଆରମ୍ଭ ଯାତାୟାତ ପାଇଁ ବହୁ ଅସୁବିଧା ହେଉଥିଲା । ଏ ନେଇ ଗାଁ ଲୋକେ ଏକ ସଭା ବସି ସର୍ବ ସମ୍ମତି କ୍ରମେ ରାସ୍ତାକୁ ବାହାରିଥିବା ନିଜ ନିଜର ଘର ବାରଣ୍ଡାରୁ କିଛି କିଛି ଜାଗା ଗାଁ ରାସ୍ତା ପ୍ରସସ୍ତୀକରଣ ପାଇଁ ଦେବାକୁ ନିର୍ଦ୍ଧାରିତ କରିଥିଲେ ଏବଂ ବର୍ତ୍ତମାନ ନିଜେ ନିଜେ ଗ୍ରାମବାସୀ ମାନେ ନିଜ ଘର ବାରଣ୍ଡା, ବାଡି କାନ୍ଥ ଆଦି ଭାଙ୍ଗିବା ସହ ଗାଁ ରାସ୍ତା ଚଉଡା କରି ଅନ୍ୟମାନଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନର ଏକ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଏ କାର୍ୟ୍ୟ ପାଇଁ ସରପଂଚ ମଧ୍ୟ ଗ୍ରାମବାସୀଙ୍କୁ ପଶଂସା କରିବା ସହ ଗାଁ ବିକାଶ ପାଇଁ ଏହା ଏକ ସ୍ମରଣୀୟ ପଦକ୍ଷେପ ବୋଲି କହିଛନ୍ତି ।

Leave A Reply

Your email address will not be published.