ସମ୍ପୂର୍ଣ କାର୍ଯ୍ୟକ୍ଷମ ହେଲା ବଲାଙ୍ଗିର ନୂତନ ବସ ଟର୍ମିନାଲ : ପ୍ରତିଶୃତି ପାଳନ ହେଲେ ଶୃଙ୍ଖଳିତ ଯାତ୍ରୀ ସେବା, ଅସୁବିଧା ହେଲେ ବିକଳ୍ପ ପଦକ୍ଷେପ- ବସ ମାଲିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବା ପରେ ଦୀର୍ଘ ୧୦ ମାସ ଧରି ଅବ୍ୟବହୃତ ଭାବେ ପଡି ରହିଥିବା ବଲାଙ୍ଗିର ବସ ଟର୍ମିନାଲକୁ ଘରୋଇ ବସ ମାଲିକ ସଂଘର ବସ ଗୁଡିକ ସ୍ଥାନାନ୍ତର ହେବା ପରେ ନୂତନ ବସ ଟର୍ମିନାଲ ଲୋକାରଣ୍ୟ ହୋଇଯାଇଥିଲା । ବଲାଙ୍ଗିରର ଅନେକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ଓ ସମସ୍ତ ସଭ୍ୟମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଚଞ୍ଚଳ ରାଣା ପତାକା ଦେଖାଇ ଘରୋଇ ବସ ଚଳାଚଳର ଶୁଭ ଉଦଘାଟନ କରିଥିଲେ । ଘରୋଇ ବସ ମାଲିକ ସଂଘର ବସ ଗୁଡିକ ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତର ହେବା ପରେ ବସ ଟର୍ମିନାଲ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି ଓ ବଲାଙ୍ଗିର ଜନତାଙ୍କ ବହୁ ଦିନର ଦାବୀ ପୂରଣ ହେବା ସଙ୍ଗେ ସହରରେ ଟ୍ରାଫିକ ସମସ୍ୟା ଅନେକାଂଶରେ ହ୍ରାସ ପାଇବ ବୋଲି ଜିଲ୍ଲାପାଳ ଏହି ଅବସରରେ କହିଛନ୍ତି । ଘରୋଇ ବସ ମାଲିକ ସଂଘର ସମସ୍ତ ଦାବୀ ଗୁଡିକୁ ବିଚାର କରାଯାଉଥିବା କଥା ମଧ୍ୟ ସେ ଗଣମାଧ୍ୟକୁ କହିଛନ୍ତି । ପୂର୍ବରୁ ବଲାଙ୍ଗିର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ୍ୟ ଦୃଷ୍ଟିରୁ ବହୁ ପ୍ରତୀକ୍ଷିତ ନୂତନ ବସ ଟର୍ମିନାଲକୁ ଆଗାମୀ ଜୁଲାଇ ୧ ତଥା ରଥଯାତ୍ରା ଦିନ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ଏହି ଘୋଷଣାକୁ ଆଜି କାର୍ଯ୍ୟକାରୀ କରାଯାଇଛି । ନୂଆ ବସଷ୍ଟାଣ୍ଡ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ନଥିବାରୁ ବସଯାତ୍ରୀମାନଙ୍କ ବସଷ୍ଟାଣ୍ଡକୁ ଯିବାଆସିବା ସହଜ ଏବଂ ଶସ୍ତା କରିବା ପାଇଁ ଜିଲ୍ଲାର ସମସ୍ତ ଘରୋଇ ବସ ବଲାଙ୍ଗିର ସହର ଭିତରେ ସିଟି ସର୍ଭିସର ସୁବିଧା ଦେବେ ବୋଲି ସଂଘ ଘୋଷଣା କରିଥିବା ପ୍ୟାକେଜୁ ମଧ୍ୟ ସଂଘ କାର୍ଯ୍ୟକାରୀ କରିଥିବା ବିଷୟ ଜଣାଯାଇଛି । ପ୍ୟାକେଜ ଅନୁଯାୟୀ ବଲାଙ୍ଗିର ପୌରାଞ୍ଚଳର ଯେକୌଣସି ବସଷ୍ଟପରୁ ଘରୋଇ ସମସ୍ତ ବସ ମାନଙ୍କରେ ସର୍ବନିମ୍ନ ଭଡା ଦେଇ ଯାତ୍ରୀମାନେ ବସଷ୍ଟଣ୍ଡକୁ ଯିବାଆସିବା କରି ପାରିବେ । ଅନେକ ଅସୁବିଧା ଓ ବାଧାବିଘ୍ନ ସତ୍ତେ୍ୱ ନୁତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସଭାପତି ହେମନ୍ତ ପଣ୍ଡା କହିଛନ୍ତି । ସେ କହିଥିଲେ ଯେ, ଦୀର୍ଘ ବର୍ଷ ହେଲା ବଲାଙ୍ଗିରର ବିଭିନ୍ନ ସାମାଜିକ ଅନୁଷ୍ଠାନ ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଦାବୀ କରି ଆସୁଥିଲେ । ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ବସଷ୍ଟାଣ୍ଡ ଲୋକାର୍ପଣ କରିବା ପରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା । କିନ୍ତୁ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ବସ ମାଲିକ ସଂଘକୁ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରାନଯାଇ ବିପରୀତ ତଥା ଓଲଟପାଲଟ ଭବେ ଚିଠି ପ୍ରଦାନ କରାଯାଉଥିଲା । ଲିଖିତ ଭାବେ ସଂଘର ଦାବୀ ମୁତାବକ କୌଣସି ପ୍ରକାର ରାଜିନାମା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ନାହିଁ । । କିନ୍ତୁ ରାଜ୍ୟ ପରିବହନ ନିଗମ ଘରୋଇ ବସ ମାଲିକସଂଘକୁ କୌଣସି ପ୍ରକାର ସୁବିଧା ଦେବା ପାଇଁ ମନା କରି ଦେଇଥିଲେ । ନିଜେ ପରିବହନ ନିଗମର ମୁଖିଆ ଆସି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ମଧ୍ୟ ପାଳନ କରାଗଲା ନାହିଁ । ଏଭଳି ଅବସ୍ଥାରେ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ନେଇ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଫଳରେ ଆହୁରି ବିଳମ୍ବ ହେବା ସମ୍ଭାବନା ଦେଖା ଦେଇଥିଲା । ବସଷ୍ଟାଣ୍ଡ ସ୍ଥାନାନ୍ତର ପରେ ଦୀର୍ଘ ୬ ମାସ ଧରି ଜିଲ୍ଲା ପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାର ଆଜି ଅନ୍ତ ଘଟିଛି । ବସଷ୍ଟାଣ୍ଡ ମୁଖ୍ୟ କୋଠାରେ ଏକ କାର୍ଯ୍ୟାଳୟ ପାଇଁ ବସଷ୍ଟାଣ୍ଡ ଡିଜାଇନ ହେବା ଦିନଠାରୁ ସଂଘ ଦାବୀ ଉପସ୍ଥାପନ କରି ଆସୁଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ପରିବହନ ନିଗମ ମନା କରିବା ପରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସଂଘର ବସ ଗୁଡିକ ପାର୍କିଂ ଦେୟ ଦେଇ ମାଲିକ ମାନେ ବସଷ୍ଟାଣ୍ଡ ବାହାରେ ରହିବେ ଏଭଳି କଥା ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯଇଥିଲା । ଯାତ୍ରୀମାନଙ୍କ ସୁବିଧା ପାଇଁ ସାଇକଲ, ବାଇକ ଷ୍ଟାଣ୍ଡ ଓ ଶୌଚାଳୟ ସମେତ ବସ ମେକାନିକ ଓ କୁଲିଙ୍କ ପାଇଁ ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ନାହିଁ । ଏହାକୁ ନେଇ ପରିବହନ ନିଗମ ପକ୍ଷରୁ ଅସୁବିଧା ସୃଷ୍ଟି କରାଗଲେ ସମଗ୍ର ଜିଲ୍ଲାରେ ଘରୋଇ ବସ ଚଳାଚଳ ଠପ୍‌ କରି ଦିଆଯିବ ବୋଲି ସଂଘ ପକ୍ଷରୁ ପୁଣି ଥରେ କୁହାଯାଇଛି । ନିରନ୍ତର ଓ ନିୟମିତ ଭାବେ ଯାତ୍ରୀ ସେବା ଦେଇ ଆସୁଥିବା ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ସଂଘ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ନାଗରିକ କମିଟୀ ସଭାପତି ବେଲାର ସିଂ ଭୋଇ, ସମ୍ପାଦକ ମନୋରଞନ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠି, ବ୍ୟବସାୟୀ ସଂଘ ସଭାପତି ତ୍ରିପୁରାରୀ ପଣିଗ୍ରାହୀ, ବଲାଙ୍ଗିର ଏକ୍ସନ କମିଟୀ ସଭାପତି ଗୋପାଲଜୀ ପାଣିଗ୍ରାହୀ, ପୁର୍ବତନ ସୈନିକ ସଂଘ ସଭାପତି ପ୍ରତାପ ରଥ, ଶ୍ରୀକର ମିଶ୍ର, ନୀଳମଣି ମିଶ୍ର, ମନୋରଂଜନ ପୁରୋହିତ, ରତନ ମହାରଣା, ସୁରୁଲାଲ ମଟାରୀ, ଦିନେଶ ଶର୍ମା, ଲକ୍ଷ୍ମଣ ମେହେର, ବିଷ୍ମୁ ପ୍ରସାଦ କେଡିଆ, ପ୍ରଭାକର ମିଶ୍ର, ଗୋପଭୂଷଣ ନାଥ, ଚାଇନା ମହାନ୍ତି, ଚାଷୀ ନେତା ଅରୁଣ ମିଶ୍ର, ଜୟରାମ ମିଶ୍ର, ବିନୋଦ କାଲସାଏ, ଜୟକୃଷ୍ମ ମିଶ୍ର, ଅଭିଷେକ ଦାଶ, ବିଧୂଭୂଷଣ ତ୍ରିପାଠି, ବିଙ୍ଗ ହ୍ୟୁମାନର ସୋମନାଥ ମିଶ୍ର, ଅଙ୍କୁଶ ପଣ୍ଡିଆ, ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ଉପସଭାପତି ସୌମେନ୍ଦ୍ର ପରିଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ସଭ୍ୟ ଦୁର୍ଗାଚରଣ ବେହେରା, ଓମ ପ୍ରକାଶ ଚାନ୍ଦ, ଆଶୁତୋଷ ମିଶ୍ର, ଅକ୍ଷୟ କଣ୍ଟା, ବୁଲୁ ବେହେରା, ଡମ୍ବରୁଧର ଆଚାର୍ଯ୍ୟ, ମାନସ ରଞନ ନାୟକ, ଶରତ ପଟନାୟକ, ସଂଜିବ ପଣ୍ଡା, ସୁନୀଲ ମିଶ୍ର, ସତ୍ୟ ପ୍ରକାଶ ପତି, ମନୋଜ ଗୁରୁ, ହିମାଂଶୁ ନାଏକ, ଚନ୍ଦ୍ରମଣି ତ୍ରିପାଠୀ, ଜ୍ୟୋତି କୁମ୍ଭାର, ପ୍ରାଣନାଥ ପଧାନ, ଭବାନୀଶଙ୍କର ପଟେଲ, ମୁନା ପଣ୍ଡା, ଜୟନ୍ତ ସିଂଦେଓ, ରିଙ୍କୁ ଭୋଇ, ପିଣ୍ଟୁ ପଟନାୟକ, ପାରିଶ ପଟେଲ, ସୁମନ୍ତ ପଟେଲ, ମୁନା ଶତପଥି, ସୁରେଶ ହରିପାଲ, ଟିକୁ ନନ୍ଦ, ପିଣ୍ଟୁ ପଟନାୟକ, ସଞିବ ସାହୁ, ଲକି ସାହୁ ଜୟନ୍ତ ସିଂଦେଓ ପ୍ରମୁଖ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 − 3 =