
ବଲାଙ୍ଗିର,(ଦେବାଶିଷ ମିଶ୍ର) : ଅଦ୍ୟ ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ୍ ସୋସିଆଲ କ୍ଲବ ସଭା କକ୍ଷରେ ବାଧିତ ଜନବଂଧୁ ପ୍ରଭାକର ରଥ ସ୍ମୃତି ସମିତି ଆନୁକୁଲ୍ୟରେ ବିଶିଷ୍ଟ ଐତିହାସିକ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ମୃତି ବକ୍ତୃତା କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବଲାଙ୍ଗିର ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମୁଖ୍ୟବକ୍ତା କରୋନା କାଳରେ ଶିଶୁ ଶିକ୍ଷା ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ କରୋନା କାଳକୁ ଏକ ସୁଯୋଗ ବିଚାର କରି ଆମ ପିଲାମାନଙ୍କୁ ଆମେ ନୈତିକ ମୁଲ୍ୟବୋଧ ଶିକ୍ଷା ପ୍ରଦାନ କରି ତାଙ୍କ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସତ୍ୟବ୍ରତ ରଥ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଐତିହାସିକ ଜୀବନର ପ୍ରମୁଖ ଘଟଣାବଳୀ ଉପରେ ଆଲୋଚନା କରିଥିଲେ । ସଭା ପୂର୍ବରୁ ପ୍ରଭାକର ରଥ ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଫଟୋକୃତିରେ ମାଲ୍ୟାର୍ପଣ କରାଯାଇଥିଲା । ଅତିଥି ପରିଚୟ ଅରୁଣ କୁମାର ଖୁଆସ କରିଥିବା ବେଳେ ପଣ୍ଡିତ ଅଚ୍ୟୁତାନନ୍ଦ ଉଦ୍ଗାତା ବେଦ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚୁଡେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ ଷଡଙ୍ଗୀ, ପ୍ରଦୀପ ପଶାୟତ, ହୃଷୀକେଶ ପୁରୋହିତ, ଧର୍ମବ୍ରତ ରଥ ଓ ମଦନ ମୋହନ ରଥ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂଗଠକ ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।