ନୀଳଗିରି, (କେପିଏନ୍ଏସ୍) : ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତର ବୁଦୁଡ଼ାହି (ବାକ୍ସନାଳ) ଗ୍ରାମରେ ବିଳମ୍ବିତ ରାତିରେ ଘଟିଥିବା ବଜ୍ରାଘାତ ଘଟଣାରେ ଏକ ପରିବାରର ୮ ଜଣ ସଦସ୍ୟ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସେହିପରି ବଜ୍ରାଘାତରେ ୩ଟି ଛେଳିର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୨ଟା ୩୫ ମିନିଟ ସମୟରେ ରଘୁ ସିଂ ଓ ତାଙ୍କ ପରିବାର ସଦସ୍ୟମାନେ ଘରେ ଶୋଇଥିବା ବେଳେ ହଠାତ୍ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ପରିବାରର ୩ ଜଣ ମହିଳା, ୩ ଜଣ ଶିଶୁ ଓ ୨ ଜଣ ପୁରୁଷ ପ୍ରଭାବିତ ହୋଇଥିଲେ । ଘଟଣା ପରେ ଗ୍ରାମବାସୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତମାନଙ୍କୁ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ୩ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
