ଓଷ୍ଟାର ସାଙ୍ଗଠନିକ ବୈଠକ ଓ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

  • ସଙ୍ଗଠନ ସୁଦୃଢ଼, ବଳିଷ୍ଠ ଓ ବିକଶିତ ନ ହେଲେ ଆନ୍ଦୋଳନ ଫଳବତୀ ହେବ ନାହିଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦାରେ ଗତକାଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ଡେଲାଙ୍ଗ ମଣ୍ଡଳର ସାଂଗଠନିକ ବୈଠକ ଓ ନୂତନ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଆଲୋଚନା ଚକ୍ର ତଥା ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଷିକେଶ ବଳିୟାରସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ଓଷ୍ଟାର ପ୍ରାକ୍ତନ ସମ୍ପାଦକ ମହେନ୍ଦ୍ର କୁମାର ରଣସିଂହ, ଶିକ୍ଷା ପ୍ରଦୀପ, ଓଷ୍ଟାର ସମ୍ପାଦକ ଶଙ୍କର ସୁବୁଦ୍ଧି, ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲା ଓଷ୍ଟା ସଭାପତି କୃଷ୍ଣଚନ୍ଦ୍ର ଦାଶ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ମହାରଣା, ବସନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ବିଘ୍ନ ବିନାଶନ ବିନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରଦୀପ ଜାଳି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଓଷ୍ଟାର ଡେଲାଙ୍ଗ ବ୍ଲକ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାରେ ସମସ୍ୟା ଓ ତା’ର ସମାଧାନ, ଶିକ୍ଷକମାନଙ୍କ ସାଂଗଠାନିକ ବ୍ୟବସ୍ଥା, ନୂତନ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରୀତା ତଥା ଶିକ୍ଷାପ୍ରଣାଳୀ, ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଓଷ୍ଟାର ଡେଲାଙ୍ଗ ବ୍ଲକ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ବିଦ୍ୟାଳୟର ବିଭିନ୍ନ ସାଙ୍ଗଠନିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଓଷ୍ଟାର କର୍ମକର୍ତ୍ତାମାନଙ୍କ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରତି ଥିବା ଉତ୍ସର୍ଗୀକୃତ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବାଦ ପଡିଥିବା ପିଅନ୍‌ମାନଙ୍କ ନିଯୁକ୍ତି ସମ୍ପର୍କିତ ସମସ୍ୟା ତଥା ସପ୍ତମ ବେତନ କମିଶନ ରିପୋର୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ପାଇଁ ପ୍ରଧାନଶିକ୍ଷକ ବସନ୍ତ ଦାସ ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତିଙ୍କୁ ନିବେଦନ କରିଥିଲେ । ପୁରୀ ଜିଲ୍ଲାରୁ ଶିକ୍ଷକ ସଂଗଠନର ସାଙ୍ଗଠନିକ ଚିନ୍ତାଧାରା ସୃଷ୍ଟି ହୋଇ ସମ୍ପ୍ରତି ଏକ ମହାଦ୍ରୁମରେ ପରିଣତ ହୋଇଛି ବୋଲି ଓଷ୍ଟାର ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଶ୍ରୀ ରଣସିଂହ ମତବ୍ୟକ୍ତ କରିଥିବା ବେଳେ ସମସ୍ୟା ନ ଥିଲେ ସଂଗଠନ ଉଜ୍ଜୀବିତ ହୁଏ ନାହିଁ ବୋଲି କହିଥିଲେ । ଶିକ୍ଷକମାନେ ଅତ୍ୟନ୍ତ ସୁବିଧାବାଦୀ ଶ୍ରେଣୀଭୁକ୍ତ ହୋଇଥିବା ବେଳେ ଅର୍ଥନୈତିକ ସମସ୍ୟା ପୂରଣ ହେଲେ ଶିକ୍ଷକମାନେ ସଙ୍ଗଠନକୁ ଭୂଲି ଯାଆନ୍ତି ବୋଲି ସେ କ୍ଷୋଭର ସହ ମତବ୍ୟକ୍ତ କରିଥିଲେ । ଏପରିକି ନିଷ୍ଠୁର ସତ୍ୟକୁ ବିଶ୍ଳେଷଣ ନ କଲେ ଆଗାମୀ ଦିନରେ ସଂଗଠନ ତିଷ୍ଠି ରହିପାରିବ ନାହିଁ ବୋଲି ଶ୍ରୀ ରଣସିଂହ କହିଥିଲେ । ସେହିପରି ଭଲ ଶିକ୍ଷକ ନ ହେଲେ ଭଲ ନେତୃତ୍ୱ ନେବା ସମ୍ଭବ ନୁହେଁ ବୋଲି ସେ କହିବା ସହ ପ୍ରତି ସପ୍ତାହରେ ଷ୍ଟାଫ କମିଟି ବୈଠକ କରାଯାଇ ଶିକ୍ଷକଙ୍କ ସମସ୍ୟା, ବିଦ୍ୟାଳୟର ଭିତ୍ତିଭୂମି ଓ ସମସ୍ୟା ତଥା ଛାତ୍ରଛାତ୍ରୀ ଓ ସଂଘର ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ଉପରେ ଶ୍ରୀ ରଣସିଂହ ଗୁରୁତ୍ବାରୋପ କରିଥିଲେ । ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର ସୁବୁଦ୍ଧି କହିଲେ, ନିର୍ବାଣ ପ୍ରାପ୍ତିର ଏକମାତ୍ର ରାସ୍ତା ହେଉଛି ଶିକ୍ଷା, ମାତ୍ର ଆମେ ଆମର ମୌଳିକ ସମସ୍ୟା(ଶିକ୍ଷା)କୁ ସଠିକ୍‌ ଭାବେ ବୁଝିପାରୁ ନାହିିଁ ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ଆମମାନଙ୍କ ମଧ୍ୟରୁ ସ୍ୱାର୍ଥପରତା ଦୂର ହୋଇନି, ଗଢିବାକୁ ହେଲେ ଲଢ଼ିବାକୁ ହେବ, ଆମେ ସଂଗଠିତ ହେଲେ କୌଣସି ସମସ୍ୟା ରହିବ ନାହିଁ । ସ୍ୱାଧୀନ ଚେତା ହେବା, ଦୁର୍ନୀତିରୁ ଦୂରରେ ରହିବା ଓ ଭଲ ମଣିଷ ହେବାକୁ ଶ୍ରୀ ସୁବୁଦ୍ଧି ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଶିକ୍ଷା ହେଉଛି ମାନବ ସମ୍ବଳର ଏକମାତ୍ର ମାଧ୍ୟମ ତଥା ଯେଉଁ ଦେଶ ଓ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ଉନ୍ନତ ସେହି ଦେଶ ଓ ରାଷ୍ଟ୍ର ସେତେ ଉନ୍ନତ ଓ ବିକଶିତ ବୋଲି ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ -ଶିକ୍ଷୟିତ୍ରୀଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ର ବିମଳ ପ୍ରଭା ପଟ୍ଟନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ପ୍ରବୀର ମହାପାତ୍ର, ରମେଶ ଚନ୍ଦ୍ର ପରିଡ଼ା, ସୁଶୀଲ ମୁକୁଟମଣି, ବୈଜୟନ୍ତୀମାଳା ହରିଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରୀ ଜିଲ୍ଲା ଓଷ୍ଟା ସମ୍ପାଦକ ପ୍ରଶାନ୍ତ ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twenty + fifteen =