ବିଭାଗୀୟ ଗୃହ କମିଟି ବୈଠକ ଅନୁଷ୍ଠିତ

  • ଧାନ ବିକିବା ପାଇଁ ଚାଷୀ ହଇରାଣ ନ ହେଉ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ବିଧାନସଭା ଗୃହ କମିଟିର ବିଭାଗୀୟ ଷ୍ଟାଣ୍ଡିଂ କମିଟି ୬ର ଦ୍ୱିତୀୟ ଦିନର ବୈଠକ ବଲାଙ୍ଗିର ବିଧାୟକ ତଥା କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବଲାଙ୍ଗିର ଜିଲ୍ଲାରେ ଆଗାମୀ ୨୯ ତାରିଖରୁ ଧାନକିଣା ଯିବ ବୋଲି ଜିଲ୍ଲାସ୍ତରୀୟ ଧାନକିଣା ପ୍ରସ୍ତୁତି ବୈଠକରେ ଦିନ ଧାର୍ଯ୍ୟ ହୋଇଥିଲା । ତେଣୁ ସେ ଅନୁସାରେ ଧାନକିଣା ସମ୍ବନ୍ଧୀୟ ବିଭାଗଗୁଡିକଙ୍କ ପ୍ରସ୍ତୁତି କେଉଁ ସ୍ତରରେ ପହଞ୍ôଚଛି, ଚାଷୀଙ୍କୁ ସୂଚନା ଦିଆଯାଇଛି କି ନାହିଁ, ଟୋକନ କେବେ ଆସିବ, ଟୋକନ ଯଦି ସମୟ ବିଳମ୍ବ ଯୋଗୁଁ ଲେପ୍ସ ହୋଇଯାଏ ତାର ବିହିତ ବ୍ୟବସ୍ଥା କିପରି ହେବ, ଚାଷୀମାନଙ୍କୁ ଧାର୍ଯ୍ୟ ତାରିଖରୁ ୭ ଦିନ ପୂର୍ବରୁ ଧାନକିଣାକୁ ନେଇ ସମସ୍ତ ସୂଚନା ଦିଆଯାଇଛି କି ନାହିଁ ସେ ଉପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଏହି ବୈଠକରେ ତନ୍ନ ତନ୍ନ କରି ପଚାରି ବୁଝିଥିଲେ । ଠିକ୍‌ ସେହିପରି କଳାହାଣ୍ଡି ଜିଲ୍ଲାରେ ଆଗାମୀ ୨୫ ତାରିଖରୁ ଧାନକିଣା ଯିବ ଏବଂ ସେହି ଜିଲ୍ଲାରେ ବିଭାଗ କେତେ ଦୂର ପ୍ରସ୍ତୁତ ରହିଛି ସଦସ୍ୟ ପ୍ରଦୀପ କୁମାର ଦିସାରି ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ କଳାହାଣ୍ଡି ଜିଲ୍ଲା ଧାନ ଅମଳରେ ବଲାଙ୍ଗିର ଜିଲ୍ଲାକୁ ଦେଖିଲେ ବେଶି ଅମଳ କରେ କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଆଶ୍ଚର୍ଯ୍ୟଜନକ ଭାବେ ଧାନକିଣା କେନ୍ଦ୍ର ସଂଖ୍ୟା କମ୍‌ କାହିଁକି ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆହୁରି ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଧାନକିଣା ତାରିଖ ୨୫ ତାରିଖକୁ ଧାର୍ଯ୍ୟ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ବି ତଥ୍ୟ ଧାନକିଣା କେନ୍ଦ୍ର କି ଚାଷୀ ପାଖରେ ନାହିଁ । ଏହାକୁ ନେଇ ମଧ୍ୟ ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ କମସେକମ ଧାନକିଣା ଧାର୍ଯ୍ୟ ତାରିଖରୁ ୭ଦିନ ପୂର୍ବରୁ ଚାଷୀମାନେ ତାଙ୍କ ଧାନ କେଉଁଠାରେ ବିକିବେ, ସେ ଜାଗାର ସେମାନେ ପାଉଥିବା ସୁବିଧା ସୁଯୋଗ ବାବଦରେ ଚାଷୀଙ୍କୁ ଜଣାନ୍ତୁ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିସି କ୍ୟାମେରାକୁ ନେଇ ଅଧ୍ୟକ୍ଷଙ୍କ ପ୍ରଶ୍ନରେ ବଲାଙ୍ଗିର ଜିଲ୍ଲାରେ ପ୍ରାୟତଃ ୯୫ ପ୍ରତିଶତ ଧାନକ୍ରୟ କେନ୍ଦ୍ରରେ ସିସି କ୍ୟାମେରା ଲାଗି ସାରିଛି ବାକି ଥିବା ଜାଗାରେ ୨୯ ତାରିଖ ପୂର୍ବରୁ ସିସି କ୍ୟାମେରା ସ୍ଥାପନ କରାଯିବ ବୋଲି ଭାରପ୍ରାପ୍ତ ଡିଆର୍‌ସିଏସ୍‌ ଉତ୍ତର ରଖିଥିଲେ କିନ୍ତୁ ଦୁଃଖର ବିଷୟ ଯେ କଳାହାଣ୍ଡି କିମ୍ବା ଆଖ ପାଖ ଜିଲ୍ଲାର ଧାନକିଣା କ୍ରୟ କେନ୍ଦ୍ରମାନଙ୍କରେ ସିସି ଟିଭି ଲାଗିବାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିନଥିବା ସୂଚନା ମିଳିଥିଲା । ବୈଠକ ସମୟରେ ଉପସ୍ଥିତ ଥିବା ଡିଆର୍‌ସିଏସ୍‌, ଯୋଗାଣ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଧାନକିଣା ସମସ୍ୟାକୁ ନେଇ ପ୍ରଶ୍ନର ଉତ୍ତର ଠିକ୍‌ ହିସାବରେ ଦେଉନଥିବା ବେଳେ ଧାନ ବିକିବାରେ କୌଣସି ସମସ୍ୟା ଯେପରି ନ ଉପୁଜିବ ତାର ସମାଧାନ ପାଇଁ ଆଗାମୀ ୩୦ ତାରିଖରେ ଭୁବନେଶ୍ୱରରେ ବିଭାଗୀୟ ଗୃହ କମିଟିର ପୂର୍ଣ୍ଣାଙ୍ଗ କମିଟିର ବୈଠକ ଡାକିବାକୁ ନିଷ୍ପତ୍ତି ହୋଇଥିଲା । ଧାନକିଣା ସମ୍ବନ୍ଧୀୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ବୈଠକରେ ସମସ୍ତ ସୂଚନା ଓ ପ୍ରସ୍ତୁତି ସହ ଉପସ୍ଥିତ ରହିବାକୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ବୈଠକରେ ଧାନକିଣା ସମ୍ବନ୍ଧୀୟ ସମସ୍ତ ଅଧିକାରୀଙ୍କ ବ୍ୟତିତ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରି, ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 − eight =