
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳ ପଡିଆ ଠାରେ ହେବାକୁ ଥିବା ବ୍ଲକସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନତା ଦିବସରେ ମାଟ୍ରିକରେ ସର୍ବାଧିକ ମାର୍କ ରଖିଥିବା ଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବୈଠକ ନିଷ୍ପତ୍ତି ନିଆଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବିଭିନ୍ନ ବିଭାଗର ମୁଖ୍ୟମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ମତ ରଖିଥିଲେ । ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ବୈଠକକୁ ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ପରିଚାଳନା କରିଥିଲେ । ଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ ଧୁମ୍ଧାମ୍ରେ ପାଳନ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସଦରର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।