
ରାଉରକେଲା, (ସସ୍ମିତା ପ୍ରଧାନ) : ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ରାଉରକେଲାଠାରେ ମହାସମାରୋହରେ ସ୍ୱାଧୀନତା ଦିବସ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଆଜିର ଏହି ବୈଠକରେ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା ପ୍ୟାରେଡ ପଡିଆରେ ସାଜସଜ୍ଜା, ସଫେଇ, ପାନୀୟ ଜଳ ଯୋଗାଣ, ଅଭ୍ୟାସ ପ୍ୟାରେଡ, ଟ୍ରାଫିକ ନିୟନ୍ତ୍ରଣ, ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ରାଉରକେଲା ମହାନଗର ନିଗମ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନା ଉପରେ ଗୁରୁତ୍ୱ ଦେବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୧୫ଅଗଷ୍ଟ ଦିନ ପ୍ରାତଃକାଳରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସକାଳ ୫ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବା ସହ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସକାଳ ୬ ଘଟିକା ପ୍ରଭାତ ଫେରି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସ୍ଥାନୀୟ ଉଦିତନଗର ପଡିଆଠାରେ ସକାଳ ୯.୧୫ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ , ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଂଗୀତ ଗାନ ଆଦି ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଗଲା । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସହ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏହା ବ୍ୟତୀତ କାରାଗାର ଓ ଆର୍ଜିଏଚ୍ରେ ମିଷ୍ଟାନ ଓ ଫଳ ବଣ୍ଟନ କରିବାର ମଧ୍ୟ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ ।