ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ବିଭିନ୍ନ ଇସ୍ପାତ ଉଦ୍ୟୋଗ ଏବଂ ବିଭିନ୍ନ ଖଣି ତଥା ଖଣିଜ ପଦାର୍ଥକୁ ନେଇ ରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ଇସ୍ପାତ ଓ ଖଣି ପ୍ରତିଷ୍ଠାନ ସମୂହର କାର୍ଯ୍ୟର ସମୀକ୍ଷା କରିବା ସହିତ ସମୟ ସମୟରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ନିମିତ୍ତ ଆବଶ୍ୟକ ପରାମର୍ଶ ଦେବାପାଇଁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଏକ ବୈଠକ ଇତିମଧ୍ୟରେ ଭୁବନେଶ୍ୱର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧକ୍ଷ ତଥା ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରଘୁନାଥପାଲ୍ଲୀ ବିଧାୟକ ତଥା କମିଟିର ସଦସ୍ୟ ଦୂର୍ଗା ଚରଣ ତନ୍ତୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ଅଂଚଳର ସ୍ଥିତି ଏବଂ ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ନିଜ ନିଜର ବହୁମୂଲ୍ୟ ମତ ରଖିଥିଲେ । ଏହି ବୈଠକରେ ଉପସ୍ଥିତ ଥିବା ରଘୁନାଥପାଲ୍ଲୀ ବିଧାୟକ ଦୂର୍ଗା ଚରଣ ତନ୍ତୀ ଖଣି ଖାଦାନରେ ଭରା ଆମର ଏଇ ସୁନ୍ଦରଗଡ ଜିଲ୍ଲାର ଖଣିଜ ପଦାର୍ଥକୁ ଉପଯୋଗ କରି ଦେଶର ପ୍ରଥମ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ଦିନକୁ ଦିନ ସଫକତାର ପାହଚ ଉପରକୁ ଉପରକୁ ଚଢି ଚାଲିଛି ଯାହାକି ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ତେବେ ଯେଉଁ ଅଞ୍ଚଳର ଖଣିଜ ପଦାର୍ଥର ଉପଯୋଗ କରି ଆର୍ଏସ୍ପି ନିଜର ଉତ୍ପାଦନକୁ ବୃଦ୍ଧି କରି ଚାଲିଛି ବଡ଼ ଦୁଃଖର ବିଷୟ କି ଯେ ସେହି ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ଯୁବକ ଆଜି ବେକାର ଅଛନ୍ତି । ଫଳରେ ବାଧ୍ୟ ହୋଇ ଏମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ତେଣୁ ଆର୍ଏସ୍ପିରେ ନିଯୁକ୍ତି ସମୟରେ ସ୍ଥାନୀୟ ଯୁବକଙ୍କୁ ପ୍ରାଥମିକତା ଦେବା ସହିତ ସମ୍ପ୍ରତି ଆର୍ଏସ୍ପିରେ କାର୍ଯ୍ୟରତ କିଛି ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ବିଧାୟକ ଦୁର୍ଗା ଏ ସମସ୍ତ ଘଟଣାର ତଦନ୍ତ କରିବା ପାଇଁ ଲିଖିତ ଭାବେ ଦାବି କରିଛନ୍ତି । ଏତଦବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ଛୋଟ ବଡ଼ ଏବଂ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ନିଯୁକ୍ତି ସମୟରେ ମଧ୍ୟ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ପ୍ରାଥମିକତା ଦେବା ପାଇଁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଗୁରୁତ୍ୱାରୋପ କରିଥିଲେ ।
Prev Post