ବ୍ରହ୍ମପୁର ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ଦ୍ଵିତୀୟ ଅର୍ଦ୍ଧବାର୍ଷିକ ବୈଠକ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁରର ସଂଯୋଜନାରେ ବ୍ରହ୍ମପୁର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ଦ୍ଵିତୀୟ ଅର୍ଦ୍ଧବାର୍ଷିକ ବୈଠକ ବୁଧବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁରର ପ୍ରଶାସନିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନଗର ରାଜଭାଷା ସମିତିର ଅଧ୍ୟକ୍ଷ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଉପ-ମହାପ୍ରବନ୍ଧକ ସନ୍ଦୀପ କୁମାର ଚୌବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇଆର୍‌ଇଏଲ୍ (ଇଣ୍ଡିଆ)ର ମହାପ୍ରବନ୍ଧକ ସି.ଭି.ଆର୍‌. ମୂର୍ତ୍ତି, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମନୀଷ କୁମାର, କର୍ମଚାରୀ ଭବିଷ୍ୟନିଧି ସଂଗଠନର ଆଞ୍ଚଳିକ ଭବିଷ୍ୟନିଧି କମିଶନର ପ୍ରକାଶ ନାରାୟଣ ସିଂହ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଉପ-ମଣ୍ଡଳ ପ୍ରମୁଖ ପ୍ରଦୀପ କୁମାର ଦାସ, କାନାରା ବ୍ୟାଙ୍କର ମଣ୍ଡଳ ପ୍ରବନ୍ଧକ ପବନ କୁମାର ଝା, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର, ପ୍ରଧାନାଚାର୍ଯ୍ୟ ଅଶ୍ୱିନୀ କୁମାରଙ୍କ ସହିତ କେନ୍ଦ୍ର ସରକାର, ବ୍ୟାଙ୍କ, ଉପକ୍ରମ, ବୀମା କମ୍ପାନୀର ୨୫ଟି କାର୍ଯ୍ୟାଳୟ ମୁଖ୍ୟ, ତଥା ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅୟୋଜନ କମିଟି ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଚୌବେ ଏବଂ ସମ୍ମାନିତ ଅତିଥି ସି.ଭି.ଆର୍‌. ମୂର୍ତ୍ତିଙ୍କୁ ସ୍ୱାଗତ ସ୍ୱରୂପ ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଏହାପରେ ନଗର ରାଜଭାଷା ସମିତିର ସଦସ୍ୟ ସଚିବ ଡ. ବନବିହାରୀ ସାହୁ ସ୍ୱାଗତ ଭାଷଣରେ ସମସ୍ତ ସଦସ୍ୟଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ସଦସ୍ୟ ସଚିବ ବିଗତ ଅର୍ଦ୍ଧବାର୍ଷିକୀ ମଧ୍ୟରେ ସଦସ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ରାଜଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ବିଭିନ୍ନ ହିନ୍ଦୀ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଚୌବେ ତାଙ୍କ ସମୀକ୍ଷାରେ ବ୍ରହ୍ମପୁରର ସଦସ୍ୟ କାର୍ଯ୍ୟାଳୟମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ରାଜଭାଷାର ସଠିକ ରିପୋର୍ଟିଂ ଓ କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ । ସମିତିର ଅଧ୍ୟକ୍ଷ ସନ୍ଦୀପ କୁମାର ଚୌବେ ସମସ୍ତ ସଦସ୍ୟ କାର୍ଯ୍ୟାଳୟକୁ ସେମାନଙ୍କ ସକ୍ରିୟ ଅବଦାନ ପାଇଁ ଧନ୍ୟବାଦ ଓ ସାଧୁବାଦ ଜଣାଇବା ସହ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହା ଏକ ମିଳିତ ମଞ୍ଚ ଏବଂ ପ୍ରଚାର, ପ୍ରସାର, ପ୍ରୋତ୍ସାହନା ମିଳିଲେ ବ୍ରହ୍ମପୁର କମିଟିକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିବା ବୋଲି ଦର୍ଶାଇଥିଲେ । ଏହା ଏକ ପରିବାର, ଯେଉଁଠି ସମସ୍ତ ସଦସ୍ୟଙ୍କ ସାମୂହିକ ଉଦ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ । ଇ.ପି.ଏଫ୍‌.ଓ. କମିଶନର ପ୍ରକାଶ ନାରାୟଣ ସିଂ ମତବ୍ୟକ୍ତ କରିଥିଲେ ଯେ’ ସମିତି ପ୍ଲାଟଫର୍ମରେ ଆନ୍ତଃ କାର୍ଯ୍ୟାଳୟ ହିନ୍ଦୀ ପ୍ରତିଯୋଗିତା ଆୟୋଜନ କରାଯାଉ । ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ମନୀଷ କୁମାର ହିନ୍ଦୀର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇଆର୍‌ଇଏଲ୍ ଜେନେରାଲ ମ୍ୟାନେଜର ସି.ଭି.ଆର୍. ମୂର୍ତ୍ତି କହିଲେ ଯେ’ ରାଷ୍ଟ୍ର ଭାଷା ହିନ୍ଦୀ ପ୍ରତି ଆମର ଆନ୍ତରିକତା ସହିତ ଭଲ ପାଇବା ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ସମିତିର ଗୃହ ପତ୍ରିକା “ଋଷିକୁଲ୍ୟା ଦର୍ପଣ”ର ପ୍ରଥମ ଅଙ୍କର ଅଧ୍ୟକ୍ଷ ଏବଂ କାର୍ଯ୍ୟାଳୟ ମୁଖ୍ୟଙ୍କ ଦ୍ଵାରା ଉନ୍ମୋଚନ କରାଗଲା । ୨୦୨୩-୨୪ ବର୍ଷରେ ରାଜଭାଷାର ଶ୍ରେଷ୍ଠ ରୂପାୟନ ପାଇଁ ୭ଟି କାର୍ଯ୍ୟାଳୟକୁ ନଗର ରାଜଭାଷା ସିଲ୍ଡ ପ୍ରଦାନ କରାଯାଇଥିଲା । ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପ୍ରଥମ, ଆଇଆର୍‌ଇଏଲ୍ (ଇଣ୍ଡିଆ) ଲିମିଟେଡ୍ ଦ୍ୱିତୀୟ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାନାରା ବ୍ୟାଙ୍କ ମିଳିତ ଭାବେ ତୃତୀୟ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଏବଂ ଆଣବିକ ଶକ୍ତି କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଗଲା । ଗତ ଅର୍ଦ୍ଧବାର୍ଷିକିରେ ଅନୁଷ୍ଠିତ ତତ୍କାଳିକ ଭାଷଣ, ହିନ୍ଦୀ ପ୍ରବନ୍ଧ, ରାଜଭାଷା ନୀତି ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାର ୩୧ ଜଣ ବିଜେତାଙ୍କୁ ସିଲ୍ଡ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମିତିର ସଦସ୍ୟ ସଚିବ ଡ. ବନବିହାରୀ ସାହୁ, ମୁଖ୍ୟ ପରିଚାଳକ (ରାଜଭାଷା), ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳନା କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିନିୟର ମ୍ୟାନେଜର(ରାଜଭାଷା) ଆନନ୍ଦ ବିହାରୀ ସାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 + 20 =