ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ପୁନଃର୍ବାସ ଓ ଥଇଥାନ ବୈଠକ

  • ବିସ୍ତାପିତଙ୍କୁ ଧର୍ଯ୍ୟ ସହ ଶୁଣି ସମସ୍ୟାର ସମାଧାନ କରନ୍ତୁ : ନରସିଂହ
  • ବିସ୍ଥାପିତଙ୍କ ମୁହଁରେ ହସ ଫୁଟିଲେ ହିଁ ପ୍ରକଳ୍ପ ସଫଳ ହେବ : ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲର ପ୍ରକଳ୍ପସ୍ତରୀୟ ପୁନଃର୍ବାସ ଓ ଥଇଥାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଦିର୍ଘ୍ୟ ଦିନର ଦାବୀ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଯାଉଛି ଜିଲ୍ଲା ପ୍ରଶାସନ ଏବଂ ତାଙ୍କ ଅଧିକାରୀମାନେ କଠିଣ ପରିଶ୍ରମ କରି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଗଉଛନ୍ତି । ମୁଁ ନିଶ୍ଚିତ ଭାବରେ ଅନୁରୋଧ କରିବି ପ୍ରଶାସନ ଏବଂ ଅଧିକାରୀମାନେ ଲୋକଙ୍କ ପ୍ରତି ଉଦାର ହୁଅନ୍ତୁ । ପ୍ରଶାସନ ଅନେକ କାମ କରିଛି ଯେପରି ବିସ୍ଥାପିତ ଖୁସିରେ ତାଙ୍କର ଭିଟାମାଟି ଛାଡିବେ କିନ୍ତୁ ହିରାକୁଦ ବିସ୍ତାପିତଙ୍କୁ ଦେଖିଲେ ସମୟ ସମୟରେ ମନରେ ଭୟ ଆସେ କାରଣ ଆଜିବି ସେମାନେ ପୁନର୍ବାସ ଓ ଥଇଥାନକୁ ନେଇ ଘୋର ଅସନ୍ତୋଷରେ ଅଛନ୍ତି । ତେଣୁ ଏହି ପ୍ରକଳ୍ପ ସେପରି ନ ହେଉ । ଅଧିକାରୀମାନେ ଅନେକ କାମ କରିଛନ୍ତି । ଆଉ ଟିକେ ଉଦାରତାର ସହ କାମ କରି ବିସ୍ଥାପିତଙ୍କୁ ଧର୍ଯ୍ୟର ସହିତ ଶୁଣନ୍ତୁ ଓ ତାଙ୍କ ସମସ୍ୟା ସମାଧାନ କରନ୍ତୁ ବୋଲି ଆଜି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପ୍ରକଳ୍ପସ୍ତରୀୟ ପୁନର୍ବାସ ଓ ଥଇଥାନ ବୈଠକରେ ଯୋଗଦେଇ ବଲାଙ୍ଗିର ବିଧାୟକ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ବିଳମ୍ବରେ ହେଲେ ହେ ଏହି ପ୍ରକଳ୍ପ ପାଇଁ ରାଜି ହୋଇ ବିସ୍ତାପିତ ହୋଇଛନ୍ତି । ତେଣୁ ସେମାନେ ସମ୍ମୁଖିନ ହୋଇଥିବା ସମସ୍ତ ସମସ୍ୟାର ସମାଧାନ ଦିଗରେ ଅଧିକାରୀମାନେ କାମ କରନ୍ତୁ । ଝାଙ୍କରପାଲିଠାରେ ନିର୍ମିତ ଅସ୍ଥାୟୀ ଥଇଥାନ କେନ୍ଦ୍ରରେ ଅନେକ ସମସ୍ୟା ଅଛି । ପିଇବା ପାଣି, ପାଇଖାନା, ଗାଧେଇବା ପାଇଁ ପାଣି, ଅସ୍ଥାୟୀ ବାସଗୃହରେ ପାଣି ଗଳିବା ଏ ସବୁ ଯେତେ ଶୀଘ୍ର ହେବ ସମାଧାନ କରାଯାଉ । ମୋର ପ୍ରଥମ ପରିଦର୍ଶନ ୧୦ ଦିନ ପରେ ସେହି କଲୋନିକୁ ଦ୍ୱିତୀୟ ବାର ଯାଇଥିଲି କିନ୍ତୁ ସ୍ଥିତି ସମାନ ଥିଲା । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେବା ଦରକାର । ସେ ଯାହାବି ହେଉ ଲୋକଙ୍କ ଦ୍ୱାରା ଦାବୀ କରାଯାଇଥିବା ଆଉ ଦୁଇଟି ନୂତନ ଟ୍ୟୁବୱେଲର ମଂଜୁରି ହୋଇଯାଇଛି । ଲୋକେ ଯେଉଁ ଗାଁରୁ ଆସିଛନ୍ତି ତାଙ୍କର କଲୋନୀରେ ସେହି ଗାଁର ନାମ ଲେଖାଯାଉ । କାରଣ ଏହା ତାଙ୍କ ଭାବାବେଗ ସହିତ ଜଡିତ । ଛୋଟ ଛୁଆମାନଙ୍କ ପାଇଁ ପ୍ରାଥମିକ ସ୍କୁଲ ସେହି କଲୋନି ଭିତରେ ନିର୍ମାଣ ହେଲେ ଛୋଟ ଛୁଆମାନେ ସୁରକ୍ଷିତ ଭାବେ ପାଠ ପଢିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ତା’ସହ ନିର୍ବାଚନ ଆସି ଯାଉଥିବାରୁ ଏଠାକାର ଲୋକଙ୍କର ଭୋଟର ଲିଷ୍ଟର ସବିଶେଷ ବିବରଣୀର ପ୍ରଶାସନ ସୂଚନା ପ୍ରଦାନ କରୁ ବୋଲି କହିଥିଲେ । ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ବିସ୍ଥାପିତମାନେ ଭୋଗୁଥିବା ବିଜୁଳି ସମସ୍ୟା, ଅସ୍ଥାୟୀ ଗୃହ ସମସ୍ୟା ଏବଂ ଶିକ୍ଷା ସମସ୍ୟାକୁ ନେଇ ନିଜ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଠାରେ ଆଲୋଚନା ହୋଇଥିବା ସମସ୍ତ ସମସ୍ୟାର ଉତ୍ତର ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନେ ଉତ୍ତର ରଖିଥିଲେ । ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଚଞ୍ଚଳ ରାଣା ବିଧାୟକ ତଥା ଅନ୍ୟାନ୍ୟ ସଭ୍ୟ ଯାହାବି ସମସ୍ୟା ଉପରେ ଗୁରୁତ୍ୱାରୋପ କଲେ ସେ ଦିଗରେ ଠିକ୍‌ ଉତ୍ତର ରଖିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ବିସ୍ଥାପିତ କଲୋନିମାନଙ୍କୁ କିଛି ନିର୍ଦ୍ଦିଷ୍ଟ ଗାଁରୁ ଲୋକେ ବିସ୍ଥାପିତ ହୋଇଥିବାରୁ ତାଙ୍କ ଭାବାବେଗକୁ ସମ୍ମାନ ଜଣାଇ ସେହି ଥଇଥାନ କଲୋନିର ନାଁ ସେମାନେ ଆଗରୁ ରହୁଥିବା ଗାଁ ନାମ ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରତିଶୃତି ଦେଇଥିଲେ । ବିସ୍ଥାପନ କଲୋନି ଭିତରେ କମ୍ୟୁନିଟି ଶୌଚାଳୟ ସଂଖ୍ୟାକୁ ୧୫ ଦିନ ଭିତରେ ଦୁଇ ଗୁଣ କରିବାକୁ ଅଫିସରମାନଙ୍କୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ଅଧିକ ପରିମାଣର ପିଇବା ପାଣି ଟାଙ୍କିର ବ୍ୟବସ୍ଥା ଶୀଘ୍ର ହେବ ଏବଂ ଏ ସବୁର ସୁନିଶ୍ଚିତତା ଉପସ୍ଥିତ ବିଡିଓମାନେ କରନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ବିସ୍ଥାପିତ କଲୋନି ପାଖରେ ଥିବା ଜାଗାରେ ପୋଖରୀ ଖନନ ସହ ତାହା ଯେମିତି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ ସେ ଉପରେ ନିଶ୍ଚିତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୋଟଦାନକୁ ନେଇ ପଚାରିଥିବା ପ୍ରଶ୍ନର ଉତ୍ତରରେ ଥଇଥାନ କେନ୍ଦ୍ରର ନିକଟବର୍ତ୍ତି ବୁଥକୁ ଲୋକଙ୍କ ଭୋଟଦାନ କେନ୍ଦ୍ର କରାଯିବ ଏବଂ ଏହାକୁ ନେଇ ପ୍ରଶାସନ ଶୀଘ୍ର ଅନୁସାଙ୍ଗିକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ତା’ସହ ଅଙ୍ଗନୱାଡି କେନ୍ଦ୍ର, ପେକ୍ସ ଗୃହ ଏବଂ ଭୂମିହୀନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଜାଗା ଚିହ୍ନଟ କରି ଦେଇଦେବା ପାଇଁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେ ସମସ୍ତ ଜମି ପାଖକୁ ମୌଳିକ ସୁବିଧା ଯେମିତି ପହଞ୍ôଚ ପାରିବ ତାହାକୁ ନେଇ ବିଡିଓମାନେ ନିଶ୍ଚିତ କରନ୍ତୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଶେଷରେ ଜିଲ୍ଲାପାଳ କହିଥିଲେ ଲୋକେ କେବେ ହେଁ ସୁଖରେ ବିସ୍ଥାପିତ ହୁଅନ୍ତି ନାହିଁ ତେଣୁ ବିସ୍ଥାପିତ ହୋଇଥିବା ଜାଗାରେ ଯେମିତି ଖୁସିରେ ରହିପାରିବେ ତାଙ୍କ ଜୀବନଧାରଣ ସହଜ ଓ ସରଳ ହେବ ସେ ଦିଗରେ ବିଭାଗୀୟ ଅଧିକାରୀମାନେ କାମ କରନ୍ତୁ ଓ ଏଥିପାଇଁ ଟଙ୍କା କେବେ ହିଁ ପ୍ରତିବନ୍ଧକ ହେବ ନାହିଁ ବୋଲି କହିଥିଲେ । କାରଣ ଏହି ପ୍ରକଳ୍ପ ସେତେବେଳେ ସଫଳତା ପାଇବ ଯେତେବେଳେ କି ବିସ୍ଥାପିତଙ୍କ ମୁହଁରେ ହସ ଫୁଟିବ । ଶେଷରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.