pakka

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ବଲାଙ୍ଗିର ଦ୍ଵାରା ଆୟୋଜିତ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ପିଡି, ଡ଼ୁଡା ସୁଦର୍ଶନ ସାଏ, ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୁଷଣ, ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ଓ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ସଜାଗ ଓ ତତ୍ପର ରହିବା ସହିତ କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ସୁଚିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ତଥା ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ ଗୁଡିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ତହସିଲ ଓ ସମ୍ପୃକ୍ତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକରେ ମାର୍ଚ୍ଚ ୧୫ ତାରିଖଠାରୁ କଣ୍ଟ୍ରୋଲ ରୁମ ଖୋଲିବା ସହ ଅଭିଯୋଗ ରେଜିଷ୍ଟରରେ ଅଭିଯୋଗଗୁଡିକ ଲିପିବଦ୍ଧ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଚଳ ହୋଇଥିବା ନଳକୂପ ତଥା ଅନ୍ୟାନ୍ୟ ଜଳ ଉତ୍ସଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ଯୋଗାଣ ଓ ତତ ସଂକ୍ରନ୍ତୀୟ ସମସ୍ୟା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା, ଜଳକ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା, ଅଂଶୁଘାତ ଜନିତ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାର ପ୍ରତ୍ୟେକ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ, ପଂଚାୟତ ଗୁଡିକର ଗୁରୁତ୍ଵପୂର୍ଣ ଜନଗହଳି ସ୍ଥାନ, ବସଷ୍ଟାଣ୍ଡମାନଙ୍କରେ ଜଳଛତ୍ର ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏହାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମସ୍ଥଳୀ, ପର୍ୟ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍‌ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହାନ ଗୁଡିକରେ ପର୍ଯ୍ୟପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍‌ ପ୍ୟାକେଟ ରଖିବାକୁ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁ, ଗାଈ ଇତ୍ୟାଦି ପ୍ରାଣୀ ସମ୍ପଦଙ୍କ ପିଇବା ପାଣିର ବ୍ୟବସ୍ଥା ତଥା ଔଷଧର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲଗୁଡିକ ପାଇଁ ସୁନିଶ୍ଚିତ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବ୍ଲକ ଓ ପଂଚାୟତ ସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁରୂପ ବୈଠକ ଯଥାଶୀଘ୍ର ଆୟୋଜନ କରିବାକୁ ବିଡିଓମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ଓ ଅଂଶୁଘାତ ସତର୍କତା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା ।

jay balangir
Leave A Reply

Your email address will not be published.

5 × two =