jayashree

କଣ୍ଟାବାଞ୍ଜି ବିଧାୟକଙ୍କ ଆଦିବାସୀ ବିରୋଧୀ ମନ୍ତବ୍ୟକୁ ନେଇ ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସବୁବେଳେ ନିଜ ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏବେ ଏକ ବିବାଦୀୟ ବୟାନକୁ ନେଇ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏକ ଘରୋଇ ଟିଭି ଚାନେଲରେ ଆଦିବାସୀ ସମାଜ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁରେ ଜିଲ୍ଲାର ବହୁ ଥାନାରେ ଲିଖିତ ଅଭିଯୋଗ ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଠିକ ସେହିପରି ବୁଧବାର ମୁରିବାହାଲ ଥାନାରେ ମଧ୍ୟ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ତରଫରୁ ବ୍ଲକ ସଭାପତି ରାଜୀବ କୁଅଁରଙ୍କ ନେତୃତ୍ୱରେ ମୁରିବାହାଲ ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ଭୁବନ ମାଝୀ, ନାରୀନେତ୍ରୀ ପତରଙ୍ଗୀ ମାଝୀ, ଲକ୍ଷ୍ମୀ ମାଝୀ, ମୀରା ଭୋଇ, ଖୁସିରାମ ଧରୁଆ, ଭୁବନେ ଯାନୀ, ରୁଦ୍ର ମାଝୀ, ତେଜରୀ ମାଝୀ, ଭୁଲେ ଯାନୀ, ଅନ୍ତରାମ ମାଝୀ, ଭୀମସେନ ଭୋଇ, ଲିଙ୍ଗ ଜାନୀ ତଥା ସମସ୍ତ କର୍ମକର୍ତ୍ତା ଆସି ଲିଖିତ ଆକାରରେ ଏକ ଏତଲା ଦେଇଛନ୍ତି । ଜଣେ ବିଧାୟକ ତଥା ନିର୍ବାଚିତ ଲୋକ ପ୍ରତିନିଧି ହୋଇ ଏଭଳି ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ବିଧାୟକଙ୍କ କହିବା ଅନୁଯାୟୀ ମୁଁ ନିଜ ଅଞ୍ଚଳର କଥା କହିବା ବେଳେ ଆଦିବାସୀ ଶୋଷିତ ଅଞ୍ଚଳ କହିବାକୁ ଚାହୁଁଥିବା ବେଳେ ମୋ କଣ୍ଠ ଦବି ଯିବା କାରଣରୁ ଆଦିବାସୀ ଦୂଷିତ ପରି ଶୁଣାଯାଉଛି । ଯଦି ଅଜାଣତରେ ମୋ ଦ୍ଵାରା କୌଣସି ଭୁଲ ହୋଇଛି ତାହାଲେ ମୁଁ ଆପଣ ମାନଙ୍କ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ବୋଲି ବିଧାୟକ ଏକ ଭିଡିଓ ମାଧ୍ୟମରେ ପୋଷ୍ଟ କରି ପ୍ରକାଶ କରିଛନ୍ତି । କିନ୍ତୁ ଆଦିବାସୀ ସଂଘ ତାହା ଗ୍ରହଣୀୟ ନୁହେଁ ଓ ଏହା କେବଳ ଜଣେ ବ୍ୟକ୍ତିଙ୍କ ବିରୋଧରେ ନୁହେଁ ବରଂ ସମଗ୍ର ଆଦିବାସୀ ସମାଜର ଗୌରବ, ସମ୍ମାନ, ପରିଚୟ ଓ ସାମ୍ବିଧାନିକ ଅଧିକାର ବିରୋଧରେ ଏକ ଗୁରୁତର ଆକ୍ରମଣ । ତେଣୁ ନ୍ୟାୟ, ସାମାଜିକ ସମ୍ପ୍ରିତ୍ତି ଓ ଆଇନର ଶାସନ ପ୍ରତିଷ୍ଠା ପାଇଁ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନହେଲେ ଆଗକୁ ସମଗ୍ର ଆଦିବାସୀ ସମାଜ ମିଳିତ ହୋଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ବିଧାୟକଙ୍କ ବିରୁଦ୍ଧରେ ଏତଲାକୁ ଥାନା ଏସ୍‌ଆଇ ପଙ୍କଜିନୀ ବାଗ ଗ୍ରହଣ କରିଥିଲେ । ତେବେ ଏହି ମାମଲାକୁ ନେଇ ପୋଲିସ ଆଗକୁ କ’ଣ ପଦକ୍ଷେପ ନେଉଛି ଓ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.