
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ କୁମଯୋର୍ ଗ୍ରାମ ଠାରେ ଜମିବାଡ଼ି ବିବାଦକୁ ନେଇ ଜଣକୁ ହତ୍ୟା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଜୟପାଟଣା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ବେଳେ ସୁବେଶ୍ୱର୍ ଶବର (୫୦) ଓ ତାଙ୍କ ପତ୍ନୀ ସତ୍ୟ ଶବର ଜମିରୁ ଫେରୁଥିବା ସମୟରେ ସେହି ଗ୍ରାମର ଜଗନ୍ନାଥ ଶବର ଓ ପୁଅ ବିଶେଶ୍ୱର ଶବର ଏକ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ପ୍ରହାର କରିଥିଲେ । ଘଟଣା ସ୍ଥଳରେ ସୁବେଶ୍ୱର ଗୁରୁତର ଆହତ ହୋଇପଡ଼ି ଯାଇଥିବା ବେଳେ ଗାଁ ଲୋକେ ଉଦ୍ଧାର କରି ଜୟପାଟଣା ଡାକ୍ତଖାନାରେ ଭର୍ତ୍ତି କରୁଥିଲେ ହେଁ ସେଠାର ଡାକ୍ତର ମୃତ ଘୋଷଣା କରୁଥିଲେ । ଉଭୟ ପରିବାର ମଧ୍ୟରେ ଜମିଜମା ବିବାଦ ଅନେକ ଦିନରୁ ଲାଗି ରହିଥିବା ବେଳେ ଏଭଳି ଏକ ଚରମ ପଦକ୍ଷେପ ନିଆଯାଇଛି ବୋଲି ଆଲୋଚନା ହେଉଛି । ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି । ମୃତକ ପରିବାରରେ ଏବେ ଦୁଇ ନାବାଳିକା ଝିଅ ଓ ବିଧବା ପତ୍ନୀ ରହିଥିବା ବେଳେ ସମସ୍ତ ପରିବାର ନିଃସହାୟ ହୋଇ ପଡିଛନ୍ତି ।