oom

ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟର ପଛପଟ ପରିତ୍ୟକ୍ତ ରାଜସ୍ୱ କୋଠା ଅସାମାଜିକ ମଦ୍ୟପ ଓ ବୁଲା ଗାଈଗୋରୁଙ୍କ ଆଡ୍‌ଡ଼ାସ୍ଥଳୀ ପାଲଟିଛି : ବର୍ଷେ ହେଲା ସୈନିକ ସଂଘକୁ ହସ୍ତାନ୍ତର ପାଇଁ ଆର୍‌ଡିସିଙ୍କ ପାଖକୁ ଯାଇଛି ଚିଠି, ଆସୁନି ଉତ୍ତର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦର ଥାନା ନିକଟରେ ଅବସ୍ଥିତ ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟର ପଛ ପଟେ ରହିଥିବା ପରିତ୍ୟକ୍ତ ତଥା ଅନ୍‌ସେଫ୍‌ ଘୋଷିତ ରାଜସ୍ୱ ବିଭାଗର କୋଠା ଏବେ ଅସାମାଜିକ ମଦ୍ୟପ ତଥା ବୁଲା ଗାଈଗୋରୁଙ୍କ ଆଡ୍‌ଡ଼ାସ୍ଥଳୀ ପାଟଲିଟି । ସ୍ଥାନୀୟ କିଛି ବ୍ୟକ୍ତି ସମୟ ସମୟରେ ସେଠାକୁ ଶୌଚ ହେବା ପାଇଁ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ସଂପୃକ୍ତ ସୈନିକ ସଂଘ ପକ୍ଷରୁ ଏହି କୋଠାକୁ ସଂଘକୁ ହସ୍ତାନ୍ତର ପାଇଁ ବର୍ଷେ ହେଲା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ବି ଆର୍‌ଡ଼ିସିଙ୍କ ଅନୁମୋଦନ ପାଇଁ ଚିଠି ଯାଇ ଉତ୍ତର ଫେରି ନଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସଂପୃକ୍ତ ପରିତ୍ୟକ୍ତ କୋଠାରେ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଥିବା ଦେଖି ଅବସରପ୍ରାପ୍ତ ସୈନିକ ସଂଘ ଏହାକୁ ହାତକୁ ନେଇ ସଂଘ ପକ୍ଷରୁ ପୋଲି କ୍ଲିନିକ୍‌ ଓ ସିଏସ୍‌ଡି କ୍ୟାଣ୍ଟିନ୍‌ ଖୋଲିବାକୁ ନିଷ୍ପତ୍ତି ନେବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲା । ତତ୍‌କାଳୀନ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସଂଘର ଅନୁରୋଧ ରକ୍ଷା କରି କୋଠା ହସ୍ତାନ୍ତର ନିମନ୍ତେ ଆର୍‌ଡିସି, ସମ୍ବଲପୁରଙ୍କ ଅନୁମୋଦନ ଲୋଡ଼ିଥିଲେ । ଚିଠି ନଂ.୩୯୬/୧୧.୧୧.୨୦୧୯ରେ ଜିଲ୍ଲାପାଳ ଆର୍‌ଡିସି.ଙ୍କୁ ଅବସରପ୍ରାପ୍ତ ସୈନିକ ସଂଘର ଅନୁରୋଧକୁ ଅନୁମୋଦନ ପାଇଁ ପତ୍ର ଲେଖିଥିଲେ । କିନ୍ତୁ ଦୀର୍ଘ ୮ ମାସ ପର୍ଯ୍ୟନ୍ତ କୌଣସି ଉତ୍ତର ନ ଆସିବାରୁ ପୁଣି ଜିଲ୍ଲାପାଳ ଚିଠି ନଂ.୨୭୨/୨୩.୦୭.୨୦୨୦ରେ ଆର୍‌ଡ଼ିସିଙ୍କୁ ଚିଠି କରିଥିଲେ । କିନ୍ତୁ ପରିତାପର ବିଷୟ ଯେ, ବର୍ତ୍ତମାନ ସୁଦ୍ଧା ଆର୍‌ଡିସି, ସମ୍ବଲପୁରଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ଆସିନାହିଁ । ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ପରିତ୍ୟକ୍ତ କୋଠାରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ ଅବସରପ୍ରାପ୍ତ ସୈନିକ ସଂଘର ମାନ କ୍ଷୂର୍ଣ୍ଣ ହେବାରେ ଲାଗିଥିବା ବେଳେ କୋଠା ହସ୍ତାନ୍ତର ପାଇଁ ପ୍ରଶାସନିକ ଉଦାସୀନତା ଅବସରପ୍ରାପ୍ତ ସୈନିକମାନଙ୍କ ପ୍ରତି ଚରମ ଅବହେଳାର ନିଦର୍ଶନ ମାତ୍ର । ଯେଉଁ ସୈନିକମାନେ ଦେଶ ସେବାରେ ନିଜର ଜୀବନକୁ ତଥା ପରିବାରକୁ ପଛରେ ପକାଇ ଦେଶର ରକ୍ଷାକର୍ତ୍ତା ସାଜିଥିଲେ, ସେମାନଙ୍କ ସଂଘର ଜନାଭିମୁଖୀ ସେବା ପଦକ୍ଷେପ ପ୍ରତି ପ୍ରଶାସନିକ ଅବହେଳା ବାସ୍ତବରେ ଖୁବ୍‌ କଷ୍ଟଦାୟକ ବୋଲି ସେ ଦୁଃଖର ସହ ପ୍ରକାଶ କରିଛନ୍ତି ।

ପୁଣି ପରିତ୍ୟକ୍ତ କୋଠାର କାନ୍ଥରେ ଏକ ବିରାଟ ବରଗଛ ବଢ଼ି ବଢ଼ି ଚାଲିଛି, ଯାଆ ଆଗାମୀ ସମୟରେ ସଂଘ କାର୍ଯ୍ୟାଳୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସଂପାଦକ ଶ୍ରୀ ରଥ ପ୍ରକାଶ କରିବା ସହ ଯଥାଶୀଘ୍ର ସଂଘର ଅନୁରୋଧ ରକ୍ଷା କରି ସଂପୃକ୍ତ କୋଠାକୁ ହସ୍ତାନ୍ତର ନ କଲେ ଆଗାମୀ ସମୟରେ ଦେଶ ପାଇଁ ଲଢ଼ିଥିବା ସୈନିକମାନେ ନିଜର ମାନ ରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.