ଅସହାୟ ପରିବାରର ଆଶାବାଡି ସାଜିଛନ୍ତି ବୃଦ୍ଧା ନୃପତି ଭୋଇ

  • ପୁଅ ପକ୍ଷାଘାତ, ନାତି ଦଶମରୁ ପାଠ ଛାଡିଲା
  • ସରକାରୀ ସହାୟତା ପାଇଁ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛୋଟ ପରିବାର ସୁଖି ପରିବାର ହେଲେ ପରମାନନ୍ଦ ଭୋଇଙ୍କ ପରିବାରରେ ଦେଖା ଦେଇଛି ବ୍ୟତିକ୍ରମ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଗାଁର ପରମାନନ୍ଦ ଭୋଇ(୬୦)ଙ୍କ ପରିବାର ହସଖୁସିରେ ଚଳୁଥିଲା । ପରିବାରରେ ପରମାନନ୍ଦ, ସ୍ତ୍ରୀ, ପୁଅ ଉତ୍ତମ(୧୮) ଓ ପରମାନନ୍ଦଙ୍କ ମା ନୃପତି ଭୋଇ(୮୦) । କିଛି ବର୍ଷ ପୂର୍ବରୁ ପକ୍ଷାଘାତ ପୀଡ଼ିତ ହୋଇ ସ୍ତ୍ରୀ ଚାଲିଗଲେ । ଏକାକୀ ରହିଲେ ପରମାନନ୍ଦ, ପୁଅ ଓ ପରମାନନ୍ଦଙ୍କ ମା ନୃପତି ଭୋଇ । ଗରିବ ପରିବାର ହେଲେ ମଧ୍ୟ ପରମାନନ୍ଦ ନିଜ ପରିବାରକୁ ସୁଖରେ ରଖୁଥିଲେ । ନିଜେ କାମଧନ୍ଦା କରି ମୂଳ ଲାଗି ଯେଉଁ ଦୁଇ ପଇସା ଆଣୁଥିଲେ ସେଥିରେ ପରିବାର ଚଳାଉଥିଲେ । ତିନି ବର୍ଷେ ପୂର୍ବେ ନିଜ ଗାଁ ଧାନମଣ୍ଡିରେ କାମ କରି ଘରକୁ ଆସିଲା ବେଳେ ଘରେ ଅସୁସ୍ଥତା ଅନୁଭବ କରି ଗୋଟିଏ ପାର୍ଶ୍ୱ ପକ୍ଷାଘାତ ମାରିଲା । ପୁଅ ଓ ଜେଜେମା ନୂଆପଡ଼ା ଡାକ୍ତରଖାନାକୁ ନେଲେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ବୁର୍ଲା ଡ଼ାକ୍ତରଖାନାକୁ ନେଲେ । ସେଠାରେ କିଛି ଦିନ ରହିଲା କପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଜେଜେମା ଓ ନାତି ଘରକୁ ଆଣିଲେ ହେଲେ ପରମାନନ୍ଦ ପକ୍ଷାଘାତ ଭଲ ହେଲା ନାହଁ ସେହି ଦିନଠାରୁ ସେ ଶଯ୍ୟାଶାୟୀ ହୋଇ ଘରେ ପଡି ରହିଲେ । ତା’ପରେପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା । ପୁଅ ମାଟ୍ରିକ ପଢି ଆଗକୁ ପଢି ପାରିଲା ନାହଁ ।ନିଜେ କାମଧନ୍ଦା କରି ନିଜ ବାପାକୁ ସେବା କଲା । ଏପଟେ ନୃପତି ପରିଣତ ବୟସ ହେଲେ ବି ପୁଅ ଓ ନାତିକୁ ନିଜ ଭତ୍ତା ପଇସାରେ ତିନି ଜଣ ଚଳୁଛନ୍ତି । ନୃପତି ପରିଣତ ବୟସରେ ପରିବାରର ଆଶାବାଡି ସାଜିଛନ୍ତି । ହଜାର ଟଙ୍କା ଭତ୍ତା ପାଇଥିଲେ ବି ଆମେ ତିନିଜଣ କେମିତି ଚଲିବୁ, ମୁଁ ଆଗେ ଚାଉଳ ପାଉଥିଲି ଏବେ ପାଉନାହିଁ ବୋଲି ନୃପତି ଅଭିଯୋଗ କରିଛନ୍ତି । ପୁଅର ଆଗକୁ ପଢିବାକୁ ଇଚ୍ଛା ହେଲେ ବାପା ମାଆଙ୍କ ଏହି ଭଳି ଅବସ୍ଥାରେ ଆଗକୁ ପଢି ପାରିଲା ନାହଁ । ଏପଟେ ପରମାନନ୍ଦ ଏ ପର୍ଯ୍ୟନ୍ତ ଭତ୍ତା ବା ବିକଳାଙ୍ଗ ଭତ୍ତା ପାଇନାହିଁନ୍ତି, ଯଦି ଭତ୍ତା ମିଳନ୍ତା ଆମେ ଭଲରେ ଚଲିପାରିବୁ ବୋଲି କହିଛନ୍ତି । ସ୍ତ୍ରୀଙ୍କ ନାମରେ ଘର ଖଣ୍ଡିଏ ପାଇଥିଲେ ହେଲେ ସ୍ତ୍ରୀ ରୋଗରେ ପଡିଲେ ଦଇବ ଦଉଡ଼ିରେ ପଡି ଘରବି ଏଯାଏଁ ସଂପୂର୍ଣ୍ଣ ହେଲା ନାହଁ । ଯାହା ଥିଲା ଖର୍ଚ୍ଚ ହୋଇଗଲା । ପରମାନନ୍ଦଙ୍କ ଭତ୍ତା, ନୃପତି ଭୋଇଙ୍କୁ ଚାଉଳ ଓ ନାତିକୁ ପାଠ ପଢ଼ାରେ ପ୍ରଶାସନ ସହଯୋଗ କଲେ ଓ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ଏଥିପ୍ରତି ଦୃଷ୍ଟି ଦେଲେ ପରିବାର ପାଇଁଁ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.