ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରଦର୍ଶନ ଅଭିଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏବେ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ଗତ ୧୬ ତାରିଖ ମଧ୍ୟରାତ୍ରୀରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା ଘଟିଛି । ତାହା ପୁଣି ଏକ ଘରୋଇ ମେଡିକାଲ ପରିସରରେ ଘଟିଥିଲେ ହେଁ ଘଟଣାର ଚାରି ଦିନ ପରେ ବି ପୋଲିସ ଚୁପ ବସିଥିବାରୁ ସାଧାରଣ ମହିଳା ଏଠି କେତେଦୂର ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୬ ତାରିଖ ମଧ୍ୟ ରାତ୍ରିରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ ଜଣେ କାର୍ୟ୍ୟରତ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଦେହ ଅସୁସ୍ଥ ଅନୁଭବ କରି ପଟିଆ ସ୍ଥିତ କିମ୍ସ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେହି ସ୍ଥାନକୁ ଆସିଥିବା କିଛି ଯୁବକ ସେଠାରେ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ସେକ୍ସୁଆଲି ହାରାସ କରିବାକୁ ଉଦ୍ୟମ କରିଥିଲେ ଏବଂ ତାଙ୍କ ସହିତ ଥିବା କ୍ୟାମେରା ମ୍ୟାନଙ୍କୁ ଗାଳିଗୁଲଜ କରି ମାରିବାକୁ ଉଦ୍ୟମ କରିଥିଲେ । ସେମାନେ ନିଜକୁ ସ୍ଥାନୀୟ ଯୁବକ ଏବଂ ପୋଲିସର ପରିଚୟ ଦେଇ ଅସଦାଚରଣ କରିଥିବା ନେଇ ପ୍ରିୟମ୍ବଦା ଇନ୍ଫୋସିଟି ଥାନାରେ ସେହିଦିନ ମଧ୍ୟରାତ୍ରୀରେ ଅଭିଯୋଗ ଦାଖଲ କରିଥିଲେ । ପୋଲିସ କେସ ନମ୍ବର ୧୨୩ /୨୦ ଏକ ମାମଲା ରୁଜୁ କରିଥିଲେ । ତେବେ ଆଜି ପର୍ୟ୍ୟନ୍ତ ଆସାମୀମାନଙ୍କୁ ପୋଲିସ ଗିରଫ କରୁ ନଥିବାରୁ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେସରେ ସଂଶ୍ଲିଷ୍ଟ ଥିବା ମୁଖ୍ୟ ଯୁବକ ଜଣଙ୍କ କୁଆଡେ ରିଜର୍ଭ ପୋଲିସ ଫୋର୍ସଠାରେ ପୋଲିସ ଅଧିକାରୀ ଭାବେ କାର୍ୟ୍ୟ କରୁଥିବାରୁ ପୋଲିସ ଘଟଣାର ରଫାଦଫା ପାଇଁ ସାମ୍ବାଦିକଙ୍କୁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରିୟମ୍ବଦାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ଅଭିଯୋଗ କରି ଭୁବନେଶ୍ୱର ଡିସିପିଙ୍କ ନିକଟରେ ହାଜିର ହୋଇଛନ୍ତି ପୀଡ଼ିତା । ପୀଡିତା ଏ ସଂପର୍କରେ ନିଜେ ସୋସିଆଲ ମିଡ଼ିଆରେ ମଧ୍ୟ ଜଣାଇଛନ୍ତି ।

Leave A Reply

Your email address will not be published.