ଅର୍ଥାଭାବରୁ ହୋଇପାରୁନି ହୃଦୟ ଆଇସିଆର୍ ରୋଗର ଅସ୍ତ୍ରୋପଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗ୍ରାମରେ ରୁହନ୍ତି ଅବନୀ ବରିହା ଓ ଉରକୁଲି ବରିହାଙ୍କ ପରିବାର । ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ ଆଉ ସ୍ୱାମୀ ସ୍ତ୍ରୀ । ପାଞ୍ଚ ପ୍ରାଣୀର ତେଲଲୁଣର ସଂସାର । ହସ ଖୁସିରେ ଚାଲିଥିଲା ପରିବାର । ରୋଜଗାର କହିଲେ ସ୍ଵାମୀ ସ୍ତ୍ରୀ ଦିନ ମଜୁରିଆ କାମକରି ପରିବାର ପ୍ରତିପୋଷଣ କରନ୍ତି । ଏଥିରେ ମଧ୍ୟ ହସଖୁସିରେ ଚାଲିଥିଲା ପରିବାର । କିନ୍ତୁ ବିଧାତା ତାଙ୍କ ହସଖୁସିର ପରିବାର ଉପରେ ଦୁଃଖର ବୋଝ ଲଦିଦେଲେ । ଗୋଟିଏ ବର୍ଷ ପୂର୍ବରୁ ଜଣାପଡ଼ିଲା ଯେ ବଡ଼ ଝିଅ ଜାନକୀ ବରିହା (୨୨) ହୃଦରୋଗରେ ପୀଡ଼ିତ । ତାହା ପୁଣି ଜଟିଳ ହୃଦୟ ଆଇସିଆର୍ ରୋଗରେ ପୀଡିତ ଏବଂ ତାଙ୍କ ଅସ୍ତ୍ରୋପଚାର ନିହାତି ଆବଶ୍ୟକ । ଏହି ରୋଗର ଉପଚାର ପାଇଁ ଅନ୍ୟ ଉପାୟ ମଧ୍ୟ ନାହିଁ । ଅସ୍ତ୍ରୋପଚାର କରିବା ପାଇଁ ତିନିରୁ ପାଞ୍ଚ ଲକ୍ଷ ଟଙ୍କା ଆବଶ୍ୟକ । ସମସ୍ତ କଥା ଶୁଣି ସତେ ଯେପରି ଦୁଃଖର ପାହାଡ଼ ପଡ଼ିଗଲା ପରିବାର ଉପରେ । ଦିନ ମଜୁରିଆ କାମ କରୁଥିବା ଏହି ପରିବାର ଏତେ ପରିମାଣରେ ଅର୍ଥ ଯୋଗାଡ଼ କରିବାରେ ଅକ୍ଷମ । ଫଳରେ ତାଙ୍କ ଅସ୍ତ୍ରୋପଚାର ପାଇଁ କେହି ସହୃଦୟ ବ୍ୟକ୍ତି ତଥା ପ୍ରଶାସନ ସାହାଯ୍ୟ କରନ୍ତା, ତାହେଲେ ଝିଅଟିର ଅସ୍ତ୍ରୋପଚାର ହେବା ସହିତ ତାଙ୍କ ପରିବାରରେ ପୁଣି ହସଖୁସି ଫେରିଆସନ୍ତା । ବୁଡ଼ାମାଲ ସରପଞ୍ଚ ଚତୁର୍ଭୂଜ ମେହେର ଝିଅର ଅସ୍ତ୍ରୋପଚାର ପାଇଁ ସାହାଯ୍ୟ କରିବାକୁ ହାତ ଯୋଡ଼ି ଲୋକଙ୍କୁ ଓ ପ୍ରଶାସନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.