csstore

ଆପଣା ହସ୍ତେ ଜିହ୍ୱା ଛେଦି : ଚର୍ଚ୍ଚାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଘୋଷଣାରୁ ଆରମ୍ଭ କରି ୟୁଜିସି ମାନ୍ୟତା ଓ ଏବେ ଜମି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରି ଆସୁଛନ୍ତି । ସାରା ବଲାଙ୍ଗିର ବିଶ୍ୱବିଦ୍ୟାଳୟ ପାଇଁ ୧୫୦ ଏକର ଜମି ନିମନ୍ତେ ଦାବୀ କରି ଆସୁଥିବା ବେଳେ ଉଚ୍ଚ ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟ ପାଇଁ କେବଳ ୬୦ ଏକର ପର୍ଯ୍ୟାପ୍ତ, ଅଧିକ ଜମି ନେଇ କ’ଣ ଜମିଦାର ହେବ ବୋଲି ମନ୍ତବ୍ୟ ରଖି ଖୋଦ୍‌ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ଶିକ୍ଷା ସଚିବଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ବିଧାନସଭାରେ ତୁମ୍ବି ତୋଫାନ କରିଥିବା ବେଳେ ସରକାରୀ ଦଳ ଜନ ମାନସରେ ବେଶ୍‌ ଲଜ୍ଜିତ ହୋଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ ନନ୍ଦ ବିଶ୍ୱ ବିଦ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ବୟାନକୁ ସର୍ବସମ୍ମୁଖରେ ଖଣ୍ଡନ କରିବା ସହ ନିନ୍ଦା କରିଛନ୍ତି । ସେହିପରି ସରକାରୀ ରାଜସ୍ୱ ବୋର୍ଡ ଜିଲ୍ଲା କ୍ରୀଡା ସଂଘକୁ ଜମି ଲିଜ୍‌ରେ ପ୍ରଦାନ କରିଥିବା ବେଳେ ଏହାକୁ ଶ୍ରୀ ନନ୍ଦ ବେଆଇନର ଆଖ୍ୟା ଦେଇଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ବିଭିନ୍ନ ଦାବୀ ପୂରଣ ନହେଲେ ଛାତ୍ର ସଂଘ ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଶ୍ରୀ ନନ୍ଦଙ୍କ ଏହି ସମ୍ବାଦିକ ସମ୍ମିଳନୀ ତାଙ୍କର ତଥା ତାଙ୍କ ଦଳର ଛବି ସୁଧାରିବାର ଏକ ପ୍ରୟାସ ବୋଲି କିଛି ଲୋକେ ଚର୍ଚ୍ଚା କରୁଥିବା ବେଳେ ତାଙ୍କର ବିରୋଧୀ ମାନେ ସମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟକୁ ‘ଆପଣା ହସ୍ତେ ଜିହ୍ୱା ଛେଦି’ ବୋଲି ପରିହାସ କରୁଛନ୍ତି ।

jayashree
Leave A Reply

Your email address will not be published.