
- ୧୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ପୁସ୍ତକ ମେଳା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣ ଲୋକ ମହୋତ୍ସବ- ୨୦୨୭ ଆସନ୍ତା ଜାନୁୟାରୀ ୭ରୁ ଆରମ୍ଭ ହେବ । ଜାନୁୟାରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଲୋକ ମହୋତ୍ସବ ସହ ଓରମାସ ପକ୍ଷରୁ ପଲ୍ଲିଶ୍ରୀମେଳା ଏବଂ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁସ୍ତକ ମେଳା ମଧ୍ୟ ସ୍ଥାନୀୟ ରାମେଶ୍ଵର ଷ୍ଟାଡିୟମ ଠାରେ ଆୟୋଜିତ ହେବ । ଏନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦେବାଶିଷ ସିଂ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଓ ସମ୍ମତିକ୍ରମେ ଗତବର୍ଷ ହୋଇଥିବା ମହିମା ଲୋକ ମହୋତ୍ସବର ନାମ ପରିବର୍ତ୍ତନ କରାଯାଇ ପୁଣି ସୁବର୍ଣ୍ଣ ଲୋକ ମହୋତ୍ସବ ରଖାଯାଇଛି । ଏହି ଅବସରରେ ପ୍ରଥମେ ସଭ୍ୟ ଗୋବିନ୍ଦ ମହାରଣାଙ୍କ ପ୍ରସ୍ତାବ କ୍ରମେ ମହୋତ୍ସବ କମିଟିର ବରିଷ୍ଠ ସଭ୍ୟ ପୁରୁଷୋତ୍ତମ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଥିବାରୁ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଚଳିତ ବର୍ଷ ସୁବର୍ଣ୍ଣ ଲୋକ ମହୋତ୍ସବରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ପୁସ୍ତକ ମେଳାରେ ସ୍ଥାନୀୟ ଲେଖକମାନଙ୍କ ପାଇଁ ୩ରୁ ୪ଟି ଷ୍ଟଲ ଓ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ ରହିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ସେହିପରି ପଶ୍ଚିମ ଓ ଦକ୍ଷିଣ ଓଡିଶାର ପ୍ରକାଶକମାନେ ଏଥିରେ ଅଂଶଗ୍ରହଣ କରିବେ । ମହୋତ୍ସବରେ ଜାନୁୟାରା ୭ରୁ ୧୧ ପର୍ଯ୍ୟନ୍ତ ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପରିବେଶଷଣ କରିବେ ଏବଂ ପରବର୍ତ୍ତୀ ୪ଦିନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ । ଶାସ୍ତ୍ରୀୟ ନୃତ୍ୟ ରେକର୍ଡ ମାଧ୍ୟମରେ ଏବଂ ଅନ୍ୟ ସମସ୍ତ ନୃତ୍ୟ ସିଧାସଳଖ ମଂଚରେ ପରିବେଷଣ କରାଯିବ । ମହୋତ୍ସବ ଉଦଘାଟନୀ ଶୋଭାଯାତ୍ର ପାଇଁ ସୁରେଶ୍ଵରୀ ମନ୍ଦିରରୁ ମଶାଳ ଏବଂ ସୁବର୍ଣ୍ଣମେରୁ ମନ୍ଦିରରୁ ଆଜ୍ଞାମାଳ ଅଣାଯିବ । ଚଳିତ ବର୍ଷ ପାର୍କିଂ ଶୁକ୍ଳ ଦୁଇଚକିଆ ଯାନ ପାଇଁ ୧୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ମହୋତ୍ସବକୁ ବିଗତ ବର୍ଷମାନଙ୍କ ଅପେକ୍ଷା ଆହୁରି ଆକର୍ଷଣୟ କରାଯିବା ନେଇ ଜିଲ୍ଲାପାଳ ଶ୍ରୀ ସିଂହ ପ୍ରକାଶ କରିବା ସହ ବିଭିନ୍ନ କମିଟି ଗଠନ କରାଯିବା ନେଇ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଗତବର୍ଷ ମହୋତ୍ସବ ଆୟୋଜନରେ ୮୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ନେଇ ସୂଚନା ଦେଇଥିଲେ । ଚଳିତ ବର୍ଷ ମହୋତ୍ସବରେ ମହୋତ୍ସବ ସହ ପଲ୍ଲିଶ୍ରୀ ମେଳା ଏବଂ ପୁସ୍ତକ ମେଳା ଆୟୋଜନ ହେବ । ମହୋତ୍ସବ ପରିସରକୁ ପ୍ଲାଷ୍ଟିକ ମୁକ୍ତ ରଖିବା, ଖାଦ୍ୟ ଷ୍ଟଲଗୁଡିକରେ ଖାଦ୍ୟ ସୁରକ୍ଷା ନିୟମ ପାଳନ, ମୋବାଇଲ ଏଟିଏମ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଶୌଚାଳୟ ନିୟମିତ ସଫେଇ ଓ ସୁରକ୍ଷା ସହ ତାଜା ପୁଷ୍ପଗୁଚ୍ଛ ଯୋଗାଣ ନିମନ୍ତେ ବିଭାଗଗୁଡିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ସିଡିଓ ଅଶ୍ୱିନୀ ମେହେର, ଅତିରିକ୍ତ ଏସ୍ପି କେ.କେ ହରିପ୍ରସାଦ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାଶ, ସୋନପୁର ଉପଜିଲ୍ଲାପାଳ ଡ.ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସଦସ୍ୟ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।