jayashree

‘ଚତୁରଙ୍ଗ’ର ନବପ୍ରକାଶର ୧୫ତମ ସଂଖ୍ୟାର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ତଥା ୧୫ତମ ସଂଖ୍ୟାର ପାଠକାର୍ପଣ ଉତ୍ସବ ଏବଂ ବିଶିଷ୍ଟ ସାରସ୍ୱତ ପୁରୁଷ ଜଗନ୍ନାଥ ପ୍ରସାଦ ଦାସ (ଜେପି)ଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଯୋଗଦେଇଥିବାବେଳେ କବି ଭାଗୀରଥି ମିଶ୍ର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ ଅଧ୍ୟକ୍ଷ ଡ. ପ୍ରତାପ କୁମାର ଦାସ ଏବଂ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର ବକ୍ତା ଭାବେ ଉପସ୍ଥିତ ରହି ଜେପିଙ୍କ କବିତା, ଗଳ୍ପ, ନାଟକ ଓ ସାମଗ୍ରିକ ସାହିତ୍ୟିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବକ୍ତାମାନେ କହିଥିଲେ ଯେ, କେବଳ ଓଡ଼ିଆ ସାହିତ୍ୟ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତ ପାଇଁ ଜଗନ୍ନାଥ ପ୍ରସାଦ ଦାସଙ୍କ ତିରୋଧାନ ଏକ ଅପୂରଣୀୟ କ୍ଷତି । ସମକାଳୀନ ସାହିତ୍ୟରେ ପାଠକଙ୍କ ମନରେ ଉତ୍କଣ୍ଠା ଓ ଆଗ୍ରହ ସୃଷ୍ଟି କରିବାର ପ୍ରବଣତା କମିଯାଇଥିବା ଉଲ୍ଲେଖ କରି ସେମାନେ କହିଥିଲେ, ସାହିତ୍ୟ ପ୍ରତି ନୂତନ ପିଢ଼ି ମଧ୍ୟରେ ଆଗ୍ରହ ଓ ଉତ୍କଣ୍ଠା ସୃଷ୍ଟି କରିପାରିଲେ ତାହା ହେବ ଜେପିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଚତୁରଙ୍ଗର ପରିଚାଳନା ସମ୍ପାଦକ ରଶ୍ମି ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପତ୍ରିକାର ନବପ୍ରକାଶିତ ସଂଖ୍ୟାର ପାଠକାର୍ପଣ ପରେ ସହ-ସମ୍ପାଦକ ସନାତନ ଠାକୁର ଚତୁରଙ୍ଗର ଉଦ୍ଦେଶ୍ୟ, ଯାତ୍ରା ଓ ସାହିତ୍ୟିକ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ସନ୍ଦୀପ କୁମାର କୁଅଁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସମ୍ପାଦନା ମଣ୍ଡଳୀ ସଦସ୍ୟ ତଥା ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.