ଜମି ଜବରଦଖଲ ବିରୋଧରେ ଅଣ୍ଟା ଭିଡିଲେ ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ତହସିଲ ଅଧୀନ ବରଗାଁ ପଞ୍ଚାୟତ ମଲିକୁଦ ଗ୍ରାମରେ ସରକାରୀ ଜମି ଓ ମନ୍ଦିର ଜମିକୁ ଜବରଦଖଲ ଅଭିଯୋଗ କରି ଚାଷଜମିରୁ ଧାନ କାଟିଲେ ଗ୍ରାମବାସୀ । ସୂଚନା ଅନୁସାରେ ମଲିକୁଦ ମୌଜାର ଶ୍ରୀଭଗବତ ଗୋସ୍ବାମୀ ଠାକୁରଙ୍କ ନାମରେ ଖତିୟାନ ନଂ.୨୬ ରେ ଥିବା ଏ.୨୫.୮୯ ଜମିର କିଛି ଅଂଶ ଏବଂ ଗୋଚର ଜମିକୁ ଜବରଦଖଲ କରି ଧାନଚାଷ କରିଥିବା ନେଇ ଗ୍ରାମର ଲକ୍ଷେଶ୍ବର ଦୀପଙ୍କ ନାମରେ ବରଗାଁ ଆରଆଇ, କଣ୍ଟାମାଳ ତହସିଲ ଏବଂ କଣ୍ଟାମାଳ ଥାନାରେ ମଲିକୁଦ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଜମି ଚିହ୍ନଟ କରାଯିବା ପୂର୍ବରୁ ଧାନ ଅମଳ ନକରିବାକୁ ଲକ୍ଷେଶ୍ବରଙ୍କୁ ଜଣାଇ କୁହାଯାଇଥିଲା । ନିର୍ଦ୍ଦେଶକୁ ଅବମାନନା କରି ଗୁରୁବାର ଲକ୍ଷେଶ୍ବର ଜମିରୁ ଧାନ କାଟିବା ଆରମ୍ଭ କରିଥିଲେ ।

ଏ ବିଷୟରେ ମଲିକୁଦ ଗ୍ରାମବାସୀ କଣ୍ଟାମାଳ ଥାନା ଓ ବରଗାଁ ଆରଆଇକୁ ଖବର ଦେଇଥିଲେ । ଥାନାଧିକାରୀ ଅଶ୍ବିନୀ ଭିତ୍ରିଆ ଏବଂ ଆରଆଇ ବିଜୟ କୁମାର ପତିଙ୍କ ଉପସ୍ଥିତିରେ ଶୁକ୍ରବାର ଜମି ଚିହ୍ନଟ କରାଯାଇଥିଲା । ଧାନଚାଷ ହୋଇଥିବା ଜମି ଖେଳ ପଡିଆ ନାମରେ ପ୍ଲଟ ନଂ.୧୭୧ ଏବଂ ଗୋଚର ଜମି ନାମରେ ପ୍ଲଟ ନଂ. ୧୭୨ ଓ ୧୭୩ ରହିଛି ଏବଂ ବାକିଜମି ଠାକୁରଙ୍କ ନାମରେ ଥିବା ବେଳେ ମୋଟ ୧.୫୫ ଏକର ଜମି ଜବରଦଖଲ କରିଥିବା ଜଣାପଡିଥିଲା । ଫଳରେ ଗ୍ରାମବାସୀ ସବୁତକ ଧାନ କାଟି ଗାଁକୁ ବୋହି ନେଇଥିବା ଜଣାଯାଇଛି । ଲକ୍ଷେଶ୍ବରଙ୍କ ନାମରେ ଏ.୩.୧୯ ଚାଷଜମି ଏବଂ ଏ.୦.୧୦ ଘରବାରି ରହିଛି । କିନ୍ତୁ କ’ଣପାଇଁ ଜମି ଜବରଦଖଲ କରୁଛନ୍ତି ତାକୁ ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ଏବଂ ପ୍ରଶାସନ ପକ୍ଷରୁ ଉକ୍ତ ଜମିର ଉପଯୁକ୍ତ ବିଚାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଜଣାଇଛନ୍ତି । ଉକ୍ତ ବିଷୟରେ ତହସିଲଦାରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.