ହୁମର ଗ୍ରାମରେ ମଦ ବିକ୍ରିକୁ ନେଇ ମହିଳା ଆନ୍ଦୋଳନ ତୀବ୍ରତର

  • ଦୁଇ ଦିନ ହେଲା ଗାଁରେ ପାନୀୟ ଜଳ ଯୋଗାଣରେ ପ୍ରତିବନ୍ଧକ
  • ଶାନ୍ତି କମିଟି ବସି ପରିସ୍ଥିତିକୁ ସୁଧାର ଅଣାଯିବ ବୋଲି ପୋଲିସ ପ୍ରଶାସନ କହିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ହୁମରଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ବେଳେ ଗାଁରେ ଦୁଇ ଦିନ ହେଲା ପିଇବା ପାଣି ଯୋଗାଣ ମଧ୍ୟ ବନ୍ଦ ଅଛି ବୋଲି କୁହାଯାଇଛି । ଶାନ୍ତି କମିଟି ବସି ପରିସ୍ଥିତିକୁ ସୁଧାର ଅଣାଯିବ ବୋଲି ପୋଲିସ ପ୍ରଶାସନ କହିଛନ୍ତି ।

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୁମର ଗ୍ରାମରେ ସବୁଦିନ ସଞ୍ଜ ନଇଁ ଆସିଲେ, ଗ୍ରାମର ବଗୁଲିଆ ଟୋକା ଓ ବଦମାସିଆମାନଙ୍କର ମଦ ପିଇ ଆଡ୍ଡା ଜମାଇ ପ୍ରତିଦିନ ଗଣ୍ଡଗୋଳ, ମାରପିଟ କରି ଗାଁର ଝିଅ ବୋହୁମାନଙ୍କୁ ଅଶ୍ଳୀଳ ଇଙ୍ଗିତ, ଗାଳି ଗୁଳଜ କରିବା ଏକ ସ୍ୱାଭାବିକ ବିଷୟ ହୋଇଛି । ସବୁଦିନ କେତେବା ସହିବେ ମାଆ ଭଉଣୀମାନେ, ଏହାର ଏକ ଚୂଡାନ୍ତ ପଦକ୍ଷେପର ଦିନ ଆସିଗଲା । ଅଣ୍ଟାଭିଡି ବାହାରିଲେ ଗ୍ରାମର ମହିଳା ସଂଘ ଉତ୍ୟକ୍ତ ହୋଇ ରାଜ ରାସ୍ତାକୁ ଓହ୍ଳାଇ ଆସିଲେ । ଏଥିରେ ମୂଳ ନାଟ ନଟବର ହେଉଛନ୍ତି, ଜଣେ ଗ୍ରାମର ମୁଖ୍ୟ ରାଜନେତା ଯାହାକୁ କି ଗାଁରେ ଅଧିକାଂଶ ଲୋକ ତାଙ୍କୁ ମାମୁଁ ଏବଂ ଅନେକ ବୋହୁ ପିଲାମାନେ ତାଙ୍କୁ ଅଜା ବୋଲି ଡାକନ୍ତି । ତାଙ୍କ ସହ ଆଉ କିଛି କୁଜି ନେତା, ପୂର୍ବତନ ରାଜନେତାମାନେ ସଂପୃକ୍ତ ବୋଲି କୁହାଯାଏ । ଏହି ଚୋରା ମଦ କାରବାରରେ ପାଉଣା ନେଇ ମନ୍ଦିର ନା’ରେ ଅର୍ଥ ରଖିଥାନ୍ତି । କେତେବେଳେ ଯାହା ହେଲେ ମଧ୍ୟ ସମସ୍ତେ ଚୁପ୍‌ଚାପ୍‌ ରହିବାକୁ ହୁଏ । ଆଜି ଏହାକୁ ନେଇ ଘଟିଥିବା ତୁମୁଳକାଣ୍ଡ ଘଟିଛି ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜି ଗାଁରେ ଶାନ୍ତି କମିଟି ବସିବ ବୋଲି କୁହାଯାଇଛି । ପ୍ରକାଶ ଥାଉକି, ଜିଲ୍ଲା ମହକୁମା ଛତ୍ରପୁର ସହରଠାରୁ ମାତ୍ର ୩ କି.ମି.ଦୂର ହୁମର ଗ୍ରାମରେ ଘଟିଛି, ଏକ ପ୍ରକାର ଅଭାବନୀୟ ଘଟଣା । କୁହାଯାଏ ଯେ, ମଦ ବ୍ୟବସାୟୀଙ୍କ ଦୌରାତ୍ମକ ବିରୋଧରେ ଏବଂ ମନ୍ଦିର ଓ ପୋଖରୀ ନିକଟରେ ମଦ ବିକ୍ରି ବନ୍ଦ ଦାବୀରେ ଛତ୍ରପୁର ବ୍ଲକ ହୁମର ଗ୍ରାମ ବଡ ସାହିର ଶତାଧିକ ମହିଳା ଓ ପୁରୁଷ ରବିବାର ବିଳମ୍ବିତ ରାତିରେ ଥାନା ଘେରାଉ କରିଥିବା ସୂଚନା ମିଳିଛି ।

ମନ୍ଦିର ଓ ପୋଖରୀ ନିକଟରେ କିଛିଦିନ ହେଲା ବ୍ୟବସାୟୀମାନେ ମଦ ବିକ୍ରି କରିବା ଦ୍ୱାରା ଖଳ ପ୍ରକୃତିର ଲୋକଙ୍କ ଆଡ୍ଡା ଜମୁଥିବା ସୂଚନା ମିଳିଛି । ଏହାକୁ ବିରୋଧ କରିବା ପରଠୁ ମଦ ବ୍ୟବସାୟୀଙ୍କ ସମେତ ଗ୍ରାମର କିଛି ବ୍ୟକ୍ତିଙ୍କ ମାଧ୍ୟମରେ ହୁମର ଗ୍ରାମର ବଡସାହିରେ ଆତଙ୍କ ସୃଷ୍ଟି କରି ସାହିର ମହିଳାମାନଙ୍କୁ ଅଶ୍ଲିଳ ଭାଷାରେ ଗାଳି କରିବା ସହ ପ୍ରାୟ ୩ ଜଣଙ୍କ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସାହିର ମହିଳାମାନେ ମନ୍ଦିର ଓ ପୋଖରୀକୁ ଯିବାବେଳେ ଅସୁରକ୍ଷିତ ମଣିବା ଏକ ସବୁଦିନିଆ ଘଟଣା ହୋଇ ଆସିଥିବା ଅଭିଯୋଗ ହେଉଛି । ଫଳରେ ସେହିଦିନ ଏଠାରେ ସଂପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବାକୁ ସମ୍ପୃକ୍ତ ସାହିବାସୀ ଦାବୀ କରିଥିଲେ । କିନ୍ତୁ ମଦ ବ୍ୟବସାୟୀମାନେ ଏଠାରେ ମଦ ବିକ୍ରି କରିବା ପାଇଁ ଗ୍ରାମର କୋଠୀ ପାଇଁ ଭଦ୍ରବ୍ୟକ୍ତିଙ୍କୁ ଆମ୍ଭେ ୪୦ ହଜାର ଟଙ୍କା ଦେଇଛୁ ; ଏଣୁ ତୁମ ହାତରେ ଯାହା ହେଉଛି ତାହା କର କିନ୍ତୁ ଏଠାରେ ମଦ ବିକ୍ରି ବନ୍ଦ ହେବ ନାହିଁ, ବୋଲି ସେମାନେ ଧମକ ଦେଇଥିବାସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମଦ ବ୍ୟବସାୟୀଙ୍କ ପ୍ରରୋଚନାରେ ହୁମର ଗ୍ରାମର ଲକ୍ଷ୍ମୀଚରଣ ପଲାଇ ଓ ତାଙ୍କର ପୁତ୍ର ବିପିନ ପଲାଇ ସାହିର ମହିଳାମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ବଡ-ସାହିର ବିଶ୍ୱନାଥ ପଲାଇ, ବଳରାମ ଛାଟେଇ ଓ ପୂର୍ଣ୍ଣଚନ୍ଦ୍ର ପଲାଇଙ୍କୁ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ଗତକାଲି ରାତି ଗୋଟାଏ ସମୟରେ ସାହିର ଶତାଧିକ ମହିଳା ଓ ପୁରୁଷ ଛତ୍ରପୁର ଥାନାକୁ ଘେରାଉ କରିଥିଲେ । ସାହିର ମନ୍ଦିର ଓ ପୋଖରୀ ନିକଟରେ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରାଯିବ ଏବଂ ପରବର୍ତ୍ତୀ ସମୟରେ ସାହିର ଯଦି କୌଣସି ବ୍ୟକ୍ତି ଆକ୍ରମଣର ଶିକାର ହୁଅନ୍ତି ତେବେ ଥାନାରେ ନିଆଁ ଜଳିବ ବୋଲି ସେଦିନ ରାତିରେ ଥାନା ଘେରାଉ କରି ମହିଳାମାନେ ଧମକ ଦେଇଥିଲେ । ଛତ୍ରପୁର ଥାନା ସେକେଣ୍ଡ୍ ଅଫିସର ସତ୍ୟଜିତ୍ ବେଣିଆ ୨ ଜଣଙ୍କୁ ଧରି ଥାନାରେ ଅଟକ ରଖିଥିଲେ । ଘଟଣାର ସଂପୂର୍ଣ୍ଣ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାତିରେ ହିଁ ସାହିବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳା ଓ ପୁରୁଷମାନେ ଗ୍ରାମକୁ ଫେରିଥିଲେ । ପୁଣି ସୋମବାର ପୂର୍ବାହ୍ନରେ ଗଞ୍ଜାମ ଏସ୍.ପି.ଙ୍କୁ ସାହିବାସୀ ପକ୍ଷରୁ ଏକ ଦାବୀ ପତ୍ର ଦେଇ ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ମନ୍ଦିର ଓ ପୋଖରୀ ନିକଟରେ ମଦ ବିକ୍ରି ବନ୍ଦ କରିବା ଲାଗି ଗଞ୍ଜାମ ଅବକାରୀ ଅଧୀକ୍ଷକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.