ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୋଷ୍ୟ ଗ୍ରାମ ଆମ୍ବଝରି : ଏବେ ବି ଦୟନୀୟ ଭାବେ ଅବହେଳିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତର ଆଦିବାସୀ ପଲ୍ଲୀ ଆମ୍ବଝରି ଦିନେ ସାରା ଦେଶର କେନ୍ଦ୍ରବିନ୍ଦୁ ପାଳଟିଥିଲା । କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ ! ୨୪ ବର୍ଷ ତଳେ ଏହି ଅଖ୍ୟାତ ପଲ୍ଲୀ ଆମ୍ବଝରିକୁ ପୋଷ୍ୟ ଗ୍ରାମ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ । ଆଜି ସମୟର ପରିବର୍ତ୍ତନ ହୋଇଛି, ଦେଶ ପ୍ରତ୍ୟେକ କ୍ଷେତ୍ରରେ ଆଗେଇଥିବା କୁହାଯାଉଛି । କିନ୍ତୁ ଆମ୍ବଝରି ପଡ଼ିରହିଛି ଯେଉଁ ତିମିରକୁ ସେହି ତିମିରେ । କେବଳ ଛାପା ପଡ଼ିଛି ପୂର୍ବ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୋଷ୍ୟ ଗ୍ରାମ ଭାବରେ ।

ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତର ଏହି ଗାଁକୁ ଆଗମନ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ । ତାଙ୍କ ସାଥୀରେ ଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ସୁରେଶ କାଲମାଡି, ରାଜ୍ୟ ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଓ କଳାହାଣ୍ଡି ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାଏକ । ଏକାସାଙ୍ଗରେ ଏତେ ନେତାଙ୍କୁ ଦେଖି ଚକିତ ହୋଇ ପଡିଥିଲେ ଗ୍ରାମବାସୀ । ଅବହେଳିତ ଜୀବନ ଯାପନ କରୁଥିବା ଅଧିବାସୀଙ୍କ ମନ ଗହନରେ ଆଶାର ଏକ ଅଜଣା ପୁଳକ ଭରି ହୋଇ ଯାଇଥିଲା ।

ନେତାମାନଙ୍କ ଦ୍ୱାରା ଚିରାଚରିତ ଢଙ୍ଗରେ ଗାଁ ଲୋକଙ୍କୁ ବିକାଶର ସୁନେଲୀ ସ୍ୱପ୍ନରେ ବିଭୋର କରାଗଲା । ଗାଁକୁ ସବୁଦିନିଆ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍, ବିଦ୍ୟାଳୟ, ଡାକ୍ତରଖାନା ଆଦି ଅନେକ କିଛି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଗଲା । କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କ ଭାଷଣରେ ଗାଁ ପ୍ରକମ୍ପିତ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଓ ଉଦ୍‌ବୋଧନ ଦେଇ ଆମ୍ବଝରି ଗାଁକୁ ତାଙ୍କର ପୋଷ୍ୟ ଗ୍ରାମ ଘୋଷଣା କରିଥିଲେ । ଏହାପରେ ନେତୃବୃନ୍ଦ ଲେଉଟିଗଲେ ସିନା ଲେଉଟିଲାନି ଆମ୍ବଝରିର ଭାଗ୍ୟ । ଆଜି ବି ସ୍ମୃତି ହୋଇ ରହିଛି ୨୪ବର୍ଷ ତଳର ଗାଥା । ଏହାରି ଭିତରେ ସରକାର ପରିବର୍ତ୍ତନ ହୋଇଛି, କିନ୍ତୁ ପରିବର୍ତ୍ତନ ହୋଇ ପାରିନାହିଁ ଏହି ଆଦିବାସୀ ପଲ୍ଲୀର ଭାଗ୍ୟ ।

ଯେତେବେଳେ ଜଣାପଡ଼ିଲା ପ୍ରଧାନମନ୍ତ୍ରୀ ଏହି ଗାଁକୁ ଆସିବେ, ସେହି ସମୟ ଠାରୁ ଫୁଲ୍ ଦମରେ ଲାଗିପଡିଥିଲା ପ୍ରଶାସନ । ରାତାରାତି ନଳକୂଅ ଖୋଳାଗଲା, ସୋଲାର୍‌ ଆଲୋକରେ ଗାଁକୁ ଆଲୋକିତ କରାଗଲା । କିନ୍ତୁ ସେସବୁ ଅଧିକ ସମୟ ରହିଲା ନାହିଁ । କାରଣ ପ୍ରଧାନମନ୍ତ୍ରୀ ଯିବାର କେଇଟା ମାସ ଭିତରେ ସୋଲାର୍‌ ଆଲୋକ ସବୁ ଖରାପ ହୋଇଗଲା । ତରବରରେ ତିଆରି ହୋଇଥିବା ନଳକୂଅ ଖରାପ ହୋଇଗଲା । ରାସ୍ତାଘାଟ ଯେମିତିକୁ ସେମିତି ରହିଲା । ବିଦ୍ୟୁତ ଓ ପାନୀୟ ଜଳ ଦିବାସ୍ୱପ୍ନ ପରି ପ୍ରତୀୟମାନ ହେଲା ।

ନା ଖୋଲିଲା ବିଦ୍ୟାଳୟ ନା ସ୍ଥାପିତ ହେଲା ଡାକ୍ତରଖାନା । ଅବଶ୍ୟ ବହୁ ବିଳମ୍ବ ପରେ ଗାଁରେ ଏକ ପ୍ରାଥମିକ ସ୍କୁଲ ଖୋଲାଗଲା, ଯାହା ଆଜି ଏକ ପ୍ରକାର ଭଙ୍ଗା ଦଦରା ଅବସ୍ଥାରେ ରହିଛି କହିଲେ ଚଳେ । ଏଠାରେ ଗାଁର ପିଲାଏ କେବଳ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିପାରନ୍ତି । ତାପରେ କଦମ୍ବଗୁଡା କିମ୍ବା କମର୍ଦ୍ଧାକୁ ପାଠ ପଢିବାକୁ ଯିବାକୁ ହୁଏ । ଜଙ୍ଗଲ ରାସ୍ତା ଓ ବନ୍ୟଜନ୍ତୁ ଭୟ ଯୋଗୁଁ ଅନେକ ପିଲା ଅଧାରୁ ପାଠ ଛାଡନ୍ତି । ଜୀବନ ଜୀବିକାର କୈାଣସି ସୁବିଧା ନଥିବାରୁ ପରଦେଶୀ ସାଜେ ଏହି ଗାଁର ଯୁବକ । ଚିକିତ୍ସା ଅଭାବରୁ ଆଜି ବି ବିଛଣାରେ ପଡି କଷ୍ଟ ପାଆନ୍ତି ବରିଷ୍ଠ ନାଗରିକ । ପାନୀୟ ଜଳ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିବିଧ ସମସ୍ୟାରେ ଛନ୍ଦି ହୋଇ ପଡିଛି ଆମ୍ବଝରି ।

କଦମ୍ବଗୁଡା ଛକରୁ ଗାଁକୁ ଯିବା ପାଇଁ ମାତ୍ର ଦେଢ କିମି ଦୂର ହୋଇଥିଲେ ମଧ୍ୟ ଆଜି ବି ରାସ୍ତା ଖଣ୍ଡିଏ ନାହିଁ । ଗାଁ ଭିତରେ ଯାହା କିଛି କଂକ୍ରିଟ ରାସ୍ତା ରହିଛି । ଆଜି ବି ଗାଁରେ ଅଧିକାଂଶ ଲୋକ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ବ୍ଲକ କାର୍ୟ୍ୟାଳୟ ଦଉଡୁଛନ୍ତି । ଭତ୍ତା ଅପେକ୍ଷାରେ ଆଜି ବି କେତେଜଣ ବୁଢାବୁଢୀ ରହିଛନ୍ତି । ଗାଁରେ ଚାରିବର୍ଷ ତଳେ ବିଦ୍ୟୁତ୍ ସଂଯୋଗ ହୋଇପାରିଛି । ତେବେ ଦିନର ଅଧିକାଂଶ ସମୟ ଏହା ବି ରହେ ନାହିଁ । ପିଇବା ପାଣି ପାଇଁ ଗାଁ ଲୋକେ ଆଜି ବି ଦହଗଞ୍ଜ ହେଉଥିବା ବେଳେ ଏବେ ଏବେ ଗାଁକୁ ପିଇବା ପାଣି ପାଇଁ କାମ ଚାଲିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.