ଏସ୍‌ଆଇଆର୍‌ କାର୍ଯ୍ୟର ଅଗ୍ରଗତିକୁ ନେଇ ବରିଷ୍ଠ ଆଇ.ଏ.ଏସ୍‌. ଡି. ପ୍ରଶାନ୍ତ କୁମାର ରେଡ୍ଡୀଙ୍କ ପ୍ରଶଂସା

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ପାଇଁ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ (ଭା.ପ୍ର.ସେ.)ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବୈଠକରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ କହିଥିଲେ ଯେ, ୫ ଜୁଲାଇ ୨୦୨୬ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୨୭,୯୨,୧୫୮ ରହିଛି । ଏସ୍‌ଆଇଆର୍‌ ଆରମ୍ଭ ସମୟରେ ଏହି ସଂଖ୍ୟା ୨୯,୯୯,୭୮୨ ଥିଲା । ଅର୍ଥାତ୍ ମୋଟ ୨,୦୭,୬୨୪ ଜଣ ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି । ପ୍ରାୟ ୯୦ ପ୍ରତିଶତ ଦାବି ଓ ଆପତ୍ତିର ସରଳଭାବରେ ସମାଧାନ ହେଇଯାଉଥିବା ବେଳେ, ଜଟିଳ ମାମଲାରେ ପଞ୍ଚନାମା ସମେତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ସମସ୍ୟାର ସମାଧାନ କରାଯାଉଛି । ଭୋଟରମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ । ଏସ୍‌ଆଇଆର୍‌ କାର୍ଯ୍ୟ ପାଇଁ ଜିଲ୍ଲାର ୧୩ଟି ବିଧାନସଭା କ୍ଷେତ୍ରରେ ୩,୧୨୪ ଜଣ ବିଏଲ୍‌ଓ ଓ ୩୧୧ ଜଣ ବିଏଲ୍‌ଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ସେହିପରି ୧୩ ଜଣ ଇଆର୍‌ଓ ଏବଂ ୭୯ ଜଣ ଏଇଆର୍‌ଓ ନିୟୋଜିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ରେଡ୍ଡୀ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବୁଥ୍‌ ସଂଖ୍ୟା ବୃଦ୍ଧି ଯୋଗୁଁ ଗୋଟିଏ ପରିବାରର କିଛି ସଦସ୍ୟଙ୍କ ନାମ ଭିନ୍ନ ଭିନ୍ନ ବୁଥ୍‌ରେ ରହିଯିବା, ବାସସ୍ଥାନ ପ୍ରମାଣପତ୍ର, ପଞ୍ଚନାମା ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କିତ ସନ୍ଦେହ ଦୂର କରି ସେ ଓ ଜିଲ୍ଲାପାଳ ବିସ୍ତୃତ ସୂଚନା ଦେଇଥିଲେ । ରାଜନୈତିକ ଦଳର ପ୍ରତିନିଧିମାନେ ଜିଲ୍ଲାପାଳ, ଇଆର୍‌ଓ, ଏଇଆର୍‌ଓ ଏବଂ ବିଶେଷକରି ବିଏଲ୍‌ଓମାନଙ୍କ ନିଷ୍ଠାପୂର୍ଣ୍ଣ ପରିଶ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଗଞ୍ଜାମ ଜିଲ୍ଲାରେ ଏସ୍‌ଆଇଆର୍‌ କାର୍ଯ୍ୟକ୍ରମ ଅତ୍ୟନ୍ତ ସୁଚାରୁ ଭାବେ ଆଗେଇ ଚାଲିଥିବା ସେମାନେ ମତ ପ୍ରକାଶ କରିଥିଲେ । ଦ୍ୱିତୀୟ ବୈଠକରେ ଜିଲ୍ଲାର ସମସ୍ତ ଇଆର୍‌ଓଙ୍କୁ ନେଇ ଏସ୍‌ଆଇଆର୍‌ କାର୍ଯ୍ୟକ୍ରମର ଅଗ୍ରଗତି, ଭୋଟର ଫର୍ମର ଡିଜିଟାଲାଇଜେସନ୍‌, ଦାବି ଓ ଆପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ନିର୍ଭୁଲ ଓ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପରବର୍ତ୍ତୀ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ଏସ୍‌ଆଇଆର୍‌ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଶ୍ରୀ ରେଡ୍ଡୀ ସନ୍ତୋଷ ପ୍ରକାଶ କରିବା ସହ କହିଥିଲେ ଯେ, ଜଣେ ହେଲେ ମଧ୍ୟ ଯୋଗ୍ୟ ଭୋଟର ଭୋଟର ତାଲିକାରୁ ବାଦ୍‌ ନ ପଡ଼ନ୍ତୁ, ସେଥିପ୍ରତି ସମସ୍ତେ ଯତ୍ନବାନ ରହିବା ଆବଶ୍ୟକ । ଶୁଣାଣି ପ୍ରକ୍ରିୟାକୁ ପଞ୍ଚାୟତ ସ୍ତରକୁ ନେଇପାରିଲେ ଭୋଟରମାନେ ଅଧିକ ଉପକୃତ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ପରାମର୍ଶ ସମ୍ପର୍କରେ ସେ ଇଆର୍‌ଓମାନଙ୍କୁ ଅବଗତ କରିଥିଲେ । ଜିଲ୍ଲାର କିଛି ସ୍ଥାନରେ ପଞ୍ଚାୟତସ୍ତରରେ ଶୁଣାଣି ଆରମ୍ଭ ହୋଇ ସାରିଛି ଏବଂ ଆଗାମୀ ଦିନରେ ଅନ୍ୟ ପଞ୍ଚାୟତ ଗୁଡିକରେ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ସୁନୀଲ କେର୍କେଟା, ଦେବଦତ୍ତ ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ଇଆର୍‌ଓ ଉପସ୍ଥିତ ଥିଲେ । ବୈଠକ ପରେ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ରେଡ୍ଡୀ ଛତ୍ରପୁର ତହସିଲ ଓ ରଙ୍ଗେଇଲୁଣ୍ଡା ବ୍ଲକ ପରିଦର୍ଶନ କରି ଏସ୍‌ଆଇଆର୍‌ ପ୍ରକ୍ରିୟାର ତଦାରଖ କରିଥିଲେ । ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି ୯୦, ୯୬ ଓ ୧୧୭ ନମ୍ବର ବୁଥ୍‌ରେ ବିଭିନ୍ନ ଆପତ୍ତି, ଅଭିଯୋଗ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ । ପରେ ସେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକରେ ବିଏଲ୍‌ଓ ଏବଂ ଭୋଟରମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ମତାମତ ଶୁଣିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର (ନିର୍ବାଚନ) ଡ଼. ଅରୁଣ କୁମାର ଖଣ୍ଡା, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଲକ୍ଷ୍ମୀ ନାରାୟଣ ପଣ୍ଡା, ନିରାକାର ପ୍ରଧାନ, ବଦ୍ରିନାରାୟଣ ନାୟକ, ଶୁଭଜିତ କୁମାର, ଅଶୋକ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ପଣ୍ଡା, କୈଳାଶ ସେଠୀ, ଭି. ରାଓ, ବୃନ୍ଦାବନ ଖଟେଇ, ଦେବାନନ୍ଦ ମହାପାତ୍ର ଏବଂ କୈଳାଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.